ବିଦେଶ ଫେରନ୍ତାଙ୍କ ପାଇଁ କେନ୍ଦ୍ରର ନୂଆ ମାର୍ଗଦର୍ଶିକା

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଦେଶ ଫେରନ୍ତା ଭାରତୀୟଙ୍କ ନିମନ୍ତେ ନୂଆ ମାର୍ଗଦର୍ଶିକା ଜାରି କରିଛି। ଏହି ନୂଆ ମାର୍ଗଦର୍ଶିକା ଅଗଷ୍ଟ ୮ ତାରିଖ ମଧ୍ୟରାତ୍ରୀରୁ ଲାଗୁ ହେବ। ନୂଆ ନିୟମ ଅନୁସାରେ ଭାରତ ଫେରିବାକୁ ଇଚ୍ଛୁକ ପ୍ରବାସୀ ଭାରତୀୟ ଯାତ୍ରା ଆରମ୍ଭ କରିବାର ଅନ୍ୟୁନ ୭୨ ଘଣ୍ଟା ପୂର୍ବରୁ ଏକ ସ୍ୱଘୋଷଣାପତ୍ର ପୂରଣ କରିବା ବାଧ୍ୟତାମୂଳକ। ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ପ୍ରବାସୀଙ୍କୁ ଭାରତ ଫେରିବା ପରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ଏବଂ ଏହା ମଧ୍ୟରୁ ୭ ଦିନ ସଂସ୍ଥାଗତ କ୍ୱାରେଣ୍ଟାଇନରେ ରହିବେ। ଏହାର ଖର୍ଚ୍ଚ ନିଜେ ପ୍ରବାସୀ ଭାରତୀୟ ବହନ କରିବେ।

ଏହାପରେ ତାଙ୍କୁ ଆଉ ୭ ଦିନ ଏକାନ୍ତବାସରେ ରହିବାକୁ ହେବ। ଏହି ସମୟରେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।  ପରିବାରର କୌଣସି ସଦସ୍ୟଙ୍କ ଦେହାନ୍ତ ହୋଇଥିଲେ କିମ୍ବା ଗୁରୁତର ଅସୁସ୍ଥତା ଥିଲେ ଏବଂ ଗର୍ଭବତୀ, ୧୦ ବର୍ଷରୁ କମ ଶିଶୁମାନଙ୍କ କ୍ଷେତ୍ରରେ ଏହା କୋହଳ କରାଯାଇପାରିବ ଏବଂ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନ ନିମନ୍ତେ ଅନୁମତି ଦିଆଯିବ।