କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ହାଓ୍ବଡାରେ ରାମ ନବମୀ ଶୋଭାଯାତ୍ରାରେ ହୋଇଥିବା ହିଂସାକାଣ୍ଡ ସ୍ଥଳକୁ ଯାଉଥିବା ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ରାସ୍ତାରେ ଅଟକାଇଛି ପୋଲିସ । ପୂର୍ବରୁ ମାନବାଧିକାର କମିଟିର ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ମଧ୍ୟ ସମାନ ଭାବେ ରୋକାଯାଇଥିଲା । ଗତକାଲି(ରବିବାର) ଭାରତୀୟ ଜନତା ପାର୍ଟିର ଏହି 6ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ହାଓ୍ବଡାରେ ପ୍ରବେଶ କରିବା ପୂର୍ବରୁ ରାସ୍ତାରେ ରୋକିଛି କୋଲକାତା ପୋଲିସ ।
ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ୬ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଜଣେ ଆଇନଜୀବୀ ଓ ଜଣେ ଅବସରପ୍ରାପ୍ତ ବିଚାରପତି ମଧ୍ୟ ଥିଲେ । ହେଲେ ଆଇନ ଶୃଙ୍ଖଳା ସ୍ଥିତି କାରଣ ଦର୍ଶାଇ ପୋଲିସ ସେମାନଙ୍କୁ ଘଟଣାସ୍ଥଳକୁ ଯିବା ପାଇଁ ବାରଣ କରିବା ସହ ରାସ୍ତାରେ ଅଟକ ରଖିଥିଲା । ତେବେ ଏହାକୁ ନେଇ ରାଜନୀତି ତୀବ୍ର ହେବା ସହ ବିଜେପି ପୋଲିସ ଉପରେ ସଙ୍ଗୀନ ଅଭିଯୋଗ କରିଛି ।
ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ସହ କିଛି ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟ ଥିଲେ । ପୋଲିସ ସେମାନଙ୍କୁ ରୋକିବା ସମୟରେ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ରାମ ନବମୀ ସମୟରେ ଜିଲ୍ଲାରେ ଯେଉଁ ହିଂସା ଘଟିଥିଲା ସେଥିରେ ପୋଲିସର ପ୍ରତ୍ୟକ୍ଷ ସହଯୋଗ ରହିଛି । ସତ୍ୟ ସାମ୍ନାକୁ ନଆସିବା ପାଇଁ ପୋଲିସ ସେମାନଙ୍କୁ ହାଓ୍ବଡାରେ ପ୍ରବେଶ କରିବାକୁ ଦେଇ ନାହିି ବୋଲି ବିଜେପି ଅଭିଯୋଗ କରିଛି ।