ଶୁକ୍ରବାର ପିଏମସି ବ୍ୟାଙ୍କ ମାମଲା ଶୁଣାଣି କରିବେ ସୁପ୍ରିମକୋର୍ଟ, ଗ୍ରାହକଙ୍କୁ ଶତପ୍ରତିଶତ ବୀମା ଦେବାକୁ ଦାବି

ନୂଆଦିଲ୍ଲୀ: ପଞ୍ଜାବ ଏବଂ ମହାରାଷ୍ଟ୍ର ସହକାରୀ (ପିଏମସି) ବ୍ୟାଙ୍କ ଠକେଇ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ଯାଇ ପହଞ୍ଚିଛି। କୋର୍ଟ ଏହି ମାମଲାରେ ଶୀଘ୍ର ଶୁଣାଣି କରିବା ଲାଗି ପ୍ରସ୍ତୁତ ହୋଇଥିବାବେଳେ ଶୁକ୍ରବାର ଏହାର ଶୁଣାଣି କରାଯିବ ବୋଲି ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ବିଜନ ମିଶ୍ରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରାଯାଇଥିଲା। ଏହାବ୍ୟତୀତ ପିଏମସି ବ୍ୟାଙ୍କର ୧୫ ଲକ୍ଷରୁ ଊଦ୍ଧ୍ୱର୍ ଗ୍ରାହକଙ୍କୁ ସୁରକ୍ଷା ଯୋଗାଇବା ସହିତ ଶତପ୍ରତିଶତ ବୀମା ପ୍ରଦାନ କରିବା ଲାଗି ପିଟିସନରେ କୁହାଯାଇଥିଲା।

ତେବେ ଶୁକ୍ରବାର ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗରେ ଶୁଣାଣି କରାଯିବ ବୋଲି ନ୍ୟାୟାଧୀଶ ଏନଭି ରମନ କହିଛନ୍ତି। ଅଭିଯୋଗ ମୁତାବକ, ପିଏମସି ବ୍ୟାଙ୍କର ମ୍ୟାନେଜମେଣ୍ଟ ଏହାର ଏନପିଏ ଏବଂ ଋଣ ବଣ୍ଟନ ସମ୍ବନ୍ଧରେ ଆରବିଆଇକୁ ଭୁଲ୍ ତଥ୍ୟ ଦେଇଥିଲା। ଏ ସମ୍ବନ୍ଧରେ ଖୁଲାସା ହେବା ପରେ ଆରବିଆଇ ପିଏମସି ବ୍ୟାଙ୍କ ଉପରେ ଅନେକ ପ୍ରତିବନ୍ଧକ ଜାରି କରିଥିଲା। ଏହା ଅନ୍ତର୍ଗତ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କ ପାଇଁ ଟଙ୍କା ଉଠାଣ ସୀମା ମଧ୍ୟ ଧାର୍ଯ୍ୟ କରାଯାଇଥିଲା। ପିଏମସି ବ୍ୟାଙ୍କର ୧୩୭ଟି ଶାଖା ରହିଛି ଏବଂ ଏହା ଦେଶର ୧୦ଟି ଶୀର୍ଷ ସହକାରୀ ବ୍ୟାଙ୍କ ମଧ୍ୟରେ ସାମିଲ ଅଛି।