୧୭ରୁ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ଶିମଲା,ଏଜେନ୍ସି: ଆସନ୍ତା ନଭେମ୍ବର ୧୭ ଓ ୧୮ ତାରିଖରେ ହିମାଚଳପ୍ରଦେଶ ଶିମଲାରେ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହେବ। ଯେଉଁଥିରେ ଭର୍ଚୁଆଲରେ ଅଧକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୯୨୧ରେ ଶିମଲାରେ ପ୍ରଥମ ବାଚସ୍ପତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାର ଶତବାର୍ଷିକୀ ପୂର୍ତ୍ତୀ ଉପଲକ୍ଷେ ଦେବାକୁ ଥିବା ଦୁଇ ଦିନିଆ ସମ୍ମିଳନୀରେ ଦେଶର ସମସ୍ତ ବାଚସ୍ପତି ଓ ଉପବାଚସ୍ପତି ଯୋଗ ଦେବେ।

ଏ ପର୍ଯ୍ୟନ୍ତ ଶିମଲାରେ ମୋଟ ୬ଟି ସମ୍ମିଳନୀ ଅନୁଷ୍ଠିତ ହୋଇସାରିଛି। ୧୯୨୧, ୧୯୨୬, ୧୯୩୩, ୧୯୩୯ରେ ସ୍ବାଧୀନତା ପୂର୍ବରୁ ଏବଂ ୧୯୭୬ ଏବଂ ୧୯୯୭ରେ ସ୍ୱାଧୀନତା ପରେ ଅନୁଷ୍ଠିତ ହୋଇଛି। ଏହା ସହିତ ବିଧାନସଭା ସଚିବଙ୍କ ୫୮ତମ ସର୍ବଭାରତୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଅଧ୍ୟକ୍ଷତା କରିବେ।

ଗଣତନ୍ତ୍ରକୁ ମଜବୁତ କରିବାର ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ। ଏଥିରେ ୨୮୮ ପ୍ରିଜାଇଡିଂ ଅଫିସରଙ୍କ ସମେତ ମୋଟ ୩୭୮ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବେ। ଏହା ସହିତ ଶିମଲାର ପ୍ରସିଦ୍ଧ ସ୍ଥାନ ପରିଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ଆଲୋଚନାଚକ୍ରରେ ଲୋକସଭା ବାଚସ୍ପତି ଓମ୍ ପ୍ରକାଶ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ହିମାଚଳ ପ୍ରଦେଶ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ଏବଂ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଯୋଗଦେବେ ବୋଲି ସୂଚନା ମିଳିଛି।