ଅକ୍ଟୋବର ୧୧ରେ ମହାକାଳେଶ୍ବର ମନ୍ଦିର ପ୍ରକଳ୍ପର ଉଦ୍‌ଘାଟନ କରିବେ ମୋଦୀ

ଭୋପାଳ,ଏଜେନ୍ସି: ମଧ୍ୟପ୍ରଦେଶର ଧାର୍ମିକ ନଗରୀ ଉଜୈନରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ପ୍ରକଳ୍ପର ଉଦଘାଟନ କରିବେ । ଏନେଇ ସୋମବାର ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି ।

୭୫୦ କୋଟି ଆନୁକୂଲ୍ୟରେ ଉଜୈନ ସ୍ଥିତ ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେଇଥିଲା । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୩୧୬ କୋଟି ଟଙ୍କା ବିନିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଟ୍ବିଟ ମାଧ୍ୟମରେ ମହାକାଳେଶ୍ବର ମନ୍ଦିରର ଏକ ଭିଡ଼ିଓ ସେୟାର କରି କହିଛନ୍ତି, “ମହାକାଳେଶ୍ବର ମନ୍ଦିରର ଭବ୍ୟ ଦୃଶ୍ୟ । ଯାହା ଅବିସ୍ମରଣୀୟ ଏବଂ ଆଲୌକିକ ଅଟେ । ବାବା ମହାକାଳଙ୍କ କୃପା ସଭିଙ୍କ ଉପରେ ଥାଉ, ଏହା ହିଁ କାମନା କରୁଛି । ଏହି ଭବ୍ୟ କରିଡରର ଆସନ୍ତା ଅକ୍ଟୋବର ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଲୋକାର୍ପଣ ହେବ ।”

ମୁଖ୍ୟମନ୍ତ୍ରୀ ସେୟାର କରିଥିବା ଭିଡ଼ିଓରେ ମନ୍ଦିରଟି ଅନେକ ଆକର୍ଷଣୀୟ ଦେଖାଯାଉଛି । ଭଗବାନ ଶିବଙ୍କ ପ୍ରତିମା ସହିତ କରିଡର କମ୍ଲେକ୍ସର ଆଲୋକ ମଧ୍ୟ ବେଶ ଆକୃଷ୍ଟ କରୁଛି । ଏହା ବ୍ୟତୀତ କୃତ୍ରିମ ଝରଣା ମଧ୍ୟରେ ଭଗବାନ ଶିବଙ୍କ ପ୍ରତିମୂର୍ତ୍ତି ମଧ୍ୟ ଅତ୍ୟନ୍ତ ଚମତ୍କାର ଦେଖାଯାଉଛି । ଉଜୈନର ମହାକାଳେଶ୍ବର ମନ୍ଦିର ଖୁବଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ । ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ମନ୍ଦିର କରିଡର ପରିଦର୍ଶନ କରିଥିଲେ ।

ତେବେ କରିଡରର ଉଦଘାଟନ ପୂର୍ବରୁ ହେବାର ଥିଲା । କିନ୍ତୁ ପୌର ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେବା ଯୋଗୁଁ ସ୍ଥଗିତ ରଖାଯାଇଥିଲା । ପୁନଃ ଉଦଘାଟନ ତାରିଖ ଧାର୍ଯ୍ୟ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ବାକି ରହିଥିବା ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ମହାକାଳେଶ୍ବର ମନ୍ଦିରର ପରିକ୍ରମା ପ୍ରକଳ୍ପ ଯୋଜନା ପାଇଁ ଏହାର ପରିସର ୧୦ ଗୁଣା ବଡ଼ କରାଯାଇଛି ।