ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ନମ୍ବର ଜାତୀୟ ରାଜପଥର ହାଣ୍ଡିଆ (ପ୍ରୟାଗରାଜ)ରୁ ରାଜାତଲାବ (ବାରାଣସୀ)କୁ ସଂଯୋଗ କରୁଥିବା ରାସ୍ତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ୭୩ କିମି ବିଶିଷ୍ଟ ଏହି ସଡ଼କ ପାଇଁ ୨ ହଜାର ୪୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରାସ୍ତା ଲୋକାର୍ପଣ ହୋଇଯିବା ପରେ ବାରାଣସୀରୁ ପ୍ରୟାଗରାଜ ୧ ଘଣ୍ଟା ରାସ୍ତା କମ ହୋଇଯିବ।
ବାରାଣସୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଦେବ ଦୀପାବଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଏତଦ ବ୍ୟତୀତ ସେ କାଶୀ ବିଶ୍ୱନାଥ ମନ୍ଦିର ଓ ସାରନାଥ ପ୍ରତ୍ନତାତ୍ତ୍ୱିକ ଅଂଚଳର ପରିଦର୍ଶନ କରିବେ। ବାରାଣସୀର ରାଜଘାଟ ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଦୀପ ଜଳାଇବେ। ଏହା ପରେ ଗଙ୍ଗା ନଦୀ କୂଳରେ ୧୫ ଲକ୍ଷ ଦୀପ ଜଳିବ।
ସୂଚନାଯୋଗ୍ୟ, ଦେବ ଦୀପାବଳି ହେଉଛି ଦୀପାବଳି ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ଅଯୋଧ୍ୟାରେ ଯେପରି ଭାବେ ଦୀପାବଳି ପାଳନ ହୋଇଥାଏ, ଠିକ ସେହିପରି ବାରାଣସୀରେ ଉତ୍ସାହର ସହିତ ଦେବ ଦୀପାବଳି ପାଳନ କରାଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ପର୍ବ ପାଳନ କରାଯାଇଥାଏ।