ସିଡ଼ନୀରେ ମୋଦୀ କହିଲେ ଯୋଗ, କ୍ରିକେଟ, ମାଷ୍ଟରସେଫ ଓ ଫିଲ୍ମ ଆମକୁ ଯୋଡ଼ୁଛି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ସିଡନୀରେ ଏକ ସାମୁଦାୟିକ କାର୍ଯ୍ୟକ୍ରମକୁ ଆଜି ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ୨୦୧୪ରେ ମୁଁ ଆସିଥିଲି ଏବଂ ଆପଣଙ୍କୁ ପୁଣିଥରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ୨୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି ବୋଲି ପ୍ରତିଶ୍ରୁତି ଦେଇଥିଲି । କିନ୍ତୁ ଆଜି ମୁଁ ଏକା ଆସିନାହିଁ, ସାଥୀରେ ପ୍ରଧାନମନ୍ତ୍ରୀ ଅଲବନୀଜଙ୍କୁ ସାଥୀରେ ଧରି ଆସିଛି ।

ଉକ୍ତ କାର୍ଯ୍ୟକ୍ରମରେ ବଡ଼ ଧରଣର ଜନ ସମାଗମ ଦେଖିବାକୁ ମିଳିଥିଲା । ମୋଦୀ ଲୋକଙ୍କ ପାଖକୁ ମଧ୍ୟ ଯାଇଥିଲେ । ମୋଦୀ ଆହୁରି କହିଥିଲେ ଯେ, ଆମ ଜୀବନଶୈଳୀ ଭିନ୍ନ ହୋଇପାରେ କିନ୍ତୁ ଏବେ ଯୋଗ ଆମକୁ ଯୋଡ଼ୁଛି । ଆମେ ଦୀର୍ଘ ଦୀନରୁ କ୍ରିକେଟ ସହ ଜଡ଼ିତ ଅଛୁ କିନ୍ତୁ ଏବେ ଟେନିସ ଓ ଫିଲ୍ମ ମଧ୍ୟ ଆମକୁ ଯୋଡ଼ୁଛି । ଆମେ ଭିନ୍ନ ଭିନ୍ନ ଶୈଳୀରେ ଖାଦ୍ୟ ପ୍ରସ୍ତୁତ କରୁଥିଲେ ମଧ୍ୟ ଏବେ ମାଷ୍ଟରଷ୍ଟ୍ରୋକ ଆମକୁ ଯୋଡ଼ୁଛି । ଆପଣ ସମସ୍ତେ ମଧ୍ୟ ସ୍ୱାଧୀନତାର ୭୫ ବର୍ଷ ଧୁମଧାମରେ ପାଳିଥିବା ଜାଣି ମୋତେ ଖୁସି ଲାଗିଲା । ଆମର କ୍ରିକେଟ ସମ୍ବନ୍ଧକୁ ୭୫ ବର୍ଷ ପୂରଣ ହୋଇଗଲାଣି । କ୍ରିକେଟ ପଡ଼ିଆରେ ମୁକାବିଲା ଯେତିକି ରୋମାଞ୍ଚକ ହୋଇଥାଏ ପଡ଼ିଆ ବାହାରେ ଆମ ବନ୍ଧୁତା ମଧ୍ୟ ସେତିକି ଗଭୀର ହୋଇଥାଏ ।