ଓଡ଼ିଶା ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ କୋଭିଡ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ବତ୍ତର୍ମାନ ୬ଟି ରାଜ୍ୟରେ କୋଭିଡ ସ୍ଥିତି ଜଟିଳ ରହିଛି। ଏନେଇ ଆଜି ଓଡ଼ିଶା ସମେତ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ଓଡ଼ିଶା ସହିତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଗୃହମନ୍ତ୍ରୀ ଅମିତ ଶାହା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାବିୟା ମଧ୍ୟ ସାମିଲ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଆମେ ଏବେ ଏମିତି ଏକ ମୋଡରେ ଠିଆ ହୋଇଛୁ ଯେଉଁଠି କରୋନା ଭୂତାଣୁର ତୃତୀୟ ଲହରି ସଂକ୍ରମଣର ଆଶଙ୍କା ରହିଛି। ଏହି ମଧ୍ୟରେ କିଛି ରାଜ୍ୟରେ କୋଭିଡ ସଂକ୍ରମଣ ମାମଲା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏଥିସହ ସେ କହିଛନ୍ତି ଯେ ଗତ ସପ୍ତାହକ ମଧ୍ୟରେ ଦେଶରୁ ଚିହ୍ନଟ ହୋଇଥିବା ସଂକ୍ରମଣ ମାମଲା ମଧ୍ୟରେ ଏହି ୬ ରାଜ୍ୟରୁ ୮୦ ପ୍ରତିଶତ ମାମଲା ରହିଛି। ଏପରିକି ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ମାମଲା ବଢ଼ୁଥିବା ଦେଖାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ବହୁତ ସମୟ ଧରି ସଂକ୍ରମଣ ମାମଲାରେ ସୁଧାର ନ ଆସିଲେ ସେଥିରୁ ଭୂତାଣୁର ମ୍ୟୁଟେସନ ହେବାର ଆଶଙ୍କା ରହିଛି। ତେଣୁ ତୃତୀୟ ଲହରିକୁ ରୋକିବା ପାଇଁ କରୋନା ବିରୋଧରେ କଠୋର ପଦକ୍ଷେପ ନେବାର ଆବଶ୍ୟକ ରହିଛି।

ଏଥିସହିତ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶ ସରକାରଙ୍କ ପ୍ରଶଂସା କରି କହିଛନ୍ତି କି, ୟୁପି ରାଜ୍ୟ ସରକାର ସଂକ୍ରମଣକୁ ରୋକିବା ପାଇଁ ୩ଟି ଯଥା-ଟେଷ୍ଟ, ଟ୍ରେସ ଓ ଟ୍ରିଟର ରଣନୀତିକୁ ଆପଣାଇଛନ୍ତି। ଯାହାଦ୍ୱାର ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି। ସେଠାରେ ଏବେ ସୁଦ୍ଧା ୫.୭ କୋଟି କୋଭିଡ ପରୀକ୍ଷା ହୋଇସାରିଥିବା ବେଳେ ଦିନକୁ ୧.୫ ଲକ୍ଷ ଟେଷ୍ଟ କରାଯାଉଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ତେଣୁ ବର୍ତ୍ତମାନ ଏହି ୬ ସଂକ୍ରମିତ ରାଜ୍ୟରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ୪ଟି ଯଥା-ଟେଷ୍ଟ, ଟ୍ରେସ, ଟ୍ରିଟ ଓ ଟିକାକରଣ ରଣନୀତିକୁ ଆପଣାଇବାକୁ କହିଛନ୍ତି।