ଶାନ୍ତି ସ୍ଥାପନ ପାଇଁ ଜେଲେନ୍‌ସ୍କିଙ୍କୁ ମୋଦୀଙ୍କ ପରାମର୍ଶ

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍‌ ରାଷ୍ଟ୍ରପିତ ଭୋଲଡିମିର୍‌ ଜେଲେନ୍‌ସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବ ଇୟୁରୋପୀୟ ଦେଶ ଏବଂ ଭାରତରେ ଆଣବିକ ପ୍ରତିଷ୍ଠାନର ସୁରକ୍ଷାକୁ ନେଇ ଟେଲିଫୋନିକ ବାର୍ତ୍ତାଳାପ କରିଛନ୍ତି ମୋଦୀ ଓ ଜେଲେନ୍‌ସ୍କି । ତାସହିତ ୟୁକ୍ରେନ୍‌-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧାକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ହିଂସା ପଥ ଛାଡ଼ି ଶାନ୍ତି ରାସ୍ତା ଆପଣାଇବାକୁ ମୋଦୀ ୟୁକ୍ରେନ୍‌ ଭୋଲଡିମିର୍‌ ଜେଲେନ୍‌ସ୍କିଙ୍କ ସହ ଆଲୋଚନା କରିଛନ୍ତି । ଯୁଦ୍ଧ ଛାଡ଼ି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଦିଗରେ ବାଟ ବାହାର କରିବାକୁ ପରାମର୍ଶ ଦେଇଛନ୍ତି । ଏହି କ୍ରମରେ ଜେନଲେନ୍‌ସ୍କି ଅନ୍ତର୍ଜାତୀୟ ନିୟମ, ଜାତିସଂଘ ଚାର୍ଟର, କ୍ଷେତ୍ରୀୟ ଅଖଣ୍ଡତା ଓ ସାର୍ବଭୌମତ୍ବକୁ ରକ୍ଷା କରିବା କଥାକୁ ଦୋହରାଇଛନ୍ତି ।

ୟୁକ୍ରେନ୍‌ର ୪ଟି ଅଞ୍ଚଳକୁ ଋଷିଆ ସହ ମିଶାଇଥିବା ପୁଟିନ ଘୋଷଣା କରିବାର ଦୁଇ ସପ୍ତାହ ପରେ ମୋଦୀ ଜେଲେନ୍‌ସ୍କିଙ୍କ ସହ କଥା ହୋଇଛନ୍ତି । ଏଭଳି ଘୋଷଣା କରି ପୁଟିନ ଆମେରିକା ତଥା ନାଟୋକୁ ଚ୍ୟାଲେଞ୍ଜ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଋଷିଆ ସହ ଶତୃତାର ସମାପ୍ତି କରି ଆଲୋଚନା ମାଧ୍ୟମରେ ସମସ୍ତ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ଶାନ୍ତି ସ୍ଥାପନ ପାଇଁ ଭାରତ ସମସ୍ତ ପ୍ରକାର ସହଯୋଗ କରିବ । କିନ୍ତୁ ସଂଘର୍ଷ ମାଧ୍ୟମରେ କୌଣସି ବିବାଦର ସମାଧାନ ହୋଇ ପାରିନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି ।

ଭାରତ ବର୍ତ୍ତମାନ ବି ଋଷିଆଠାରୁ ଅଶୋଧିତ ତୈଳ ଆମଦାନୀ କରୁଛି । ଏଥିପାଇଁ ପଶ୍ଚମ ଦେଶର ସମାଲୋଚନାର ଶିକାର ମଧ୍ୟ ହୋଇଥିଲା ଭାରତ । ତେବେ ଏହାକୁ ନେଇ ଗତ ଅଗଷ୍ଟ ମାସରେ ବୈଦେଶିକ ମନ୍ତ୍ରୀ କଡ଼ା ଜବାବ ମଧ୍ୟ ଦେଇଥିଲେ । ପ୍ରତ୍ୟେକ ଦେଶ ସୁଲଭ ମୂଲ୍ୟରେ ତୈଳ କିଣିବାକୁ ଚାହୁଁଛନ୍ତି । ଭାରତ ମଧ୍ୟ ତାହା କୁରଛି ବୋଲି କହିଥିଲେ ଏସ୍‌ ଜୟଶଙ୍କର ।