ଟିକାକରଣକୁ ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା ୧୬ ତାରିଖରେ ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ହୋଇସାରିଛି। ତେବେ ସମସ୍ତ ରାଜ୍ୟରେ କିପରି ଟିକାକରଣ ହେବ ସେ ନେଇ ମଧ୍ୟ ଡ୍ରାଏ ରନ୍ ସରିଛି। ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଦେଶରେ କରୋନା ମହାମାରୀର ସ୍ଥିତି ଏବଂ ଟିକାକରଣ ପ୍ରସଙ୍ଗକୁ ନେଇ ଏହି ଆଲୋଚନା ହେବ। ଭିଡିଓ କନଫରେନସିଂ ଜରିଆରେ ଏହି ଆଲୋଚନା ହେବ।

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ଏଥିରେ ପ୍ରାୟ ୩ କୋଟି ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ। ପରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଏବଂ ବହୁବିଧ ରୋଗରେ ଆକ୍ରାନ୍ତ ପ୍ରାୟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ସୂଚନାଯୋଗ୍ୟ ଯେ କରୋନା ମହାମାରୀ ନିୟନ୍ତ୍ରଣ ନିମନ୍ତେ ୨ଟି ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିସାରିଛି।