କୁଶୀନଗରରେ କୂଅରେ ପଡ଼ି ୧୩ ଜଣଙ୍କ ମୃତ୍ୟୁ ଘଟଣା: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/କୁଶୀନଗର,ଏଜେନ୍ସି: ଉତ୍ତର ପ୍ରଦେଶର କୁଶୀନଗରରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ କୂଅରେ ପଡ଼ି ୧୩ ଜଣଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏକ ଦୃଦୟ ବିଦାରକ ଘଟଣା। ଏହି ଘଟଣାରେ ଯେଉଁ ଲୋକମାନଙ୍କର ମୃତ୍ୟୁ ହୋଇଛି, ସେହି ପରିବାର ପ୍ରତି ସମବେଦନା ଜଣାଉଛି। ଏଥି ସହିତ ଆହତମାନେ ଖୁବ ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରୁଛି। ସ୍ଥାନୀୟ ପ୍ରଶାସନ ଯଥା ସମ୍ଭବ ଆବଶ୍ୟକ ପଦକ୍ଷେପ ନେଇଛି।

ଏହି ଦୁଃଖଦ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପ୍ରତି ସେ ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ବିବାହ ପାଇଁ ହଳଦୀ ମହୋତ୍ସବ ଚାଲିଥିବା ବେଳେ କିଛି ଝିଅଙ୍କ ସମେତ ମହିଳାମାନେ କୂଅରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଶିଶୁଙ୍କ ସମେତ ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା।

କୁଶୀନଗର ଜିଲ୍ଲା ନେବୁଆ ନୌରଙ୍ଗିଆ ଥାନା ଅନ୍ତର୍ଗତ ସ୍କୁଲଟୋଲାରେ ବିବାହ ସମାରୋହ ପାଇଁ ପ୍ରସ୍ତୁତି ଚାଲିଥିଲା। ଗାଁର ମହିଳା ଓ ଝିଅମାନେ ବିବାହ ହେଉଥିବା ଘର ପାଖ କୂଅ ଉପରେ ଦିଆଯାଇଥିବା ଲୁହା ତାରଜାଲିରେ ଛିଡ଼ା ହୋଇଥିଲେ। ହଳଦୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଥିଲା। କିନ୍ତୁ କୂଅ ଉପରେ ଦିଆଯାଇଥିବା ଲୁହା ତାରଜାଲି ଭାଙ୍ଗିଯିବାରୁ ମହିଳା ଓ ଝିଅମାନେ ପାଣିରେ ପଡ଼ିଥିଲେ।

ଏବାବଦରେ ଦମକଳ ବାହିନୀ ଓ ପୋଲିସକୁ ସୂଚନା ଦିଆଯାଇଥିଲା। ସ୍ଥାନୀୟ ଲୋକଙ୍କ ପକ୍ଷରୁ ମଧ୍ୟ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହାରି ମଧ୍ୟରେ ୧୩ ଜଣ ମହିଳାଙ୍କ ମୃତ୍ୟୁ ହୋଇସାରିଥିଲା। ଗାଁର ଜଣେ ଯୁବକ ଗଣମାଧ୍ୟମକୁ କହିଛନ୍ତି, ୧୫ ଜଣ ମହିଳାଙ୍କୁ ଉଦ୍ଧାର କରାଯାଇ ପାରିଛି । ସେମାନଙ୍କୁ ଘରୋଇ ଓ ପୋଲିସ ଗାଡ଼ିରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।