ଦାଦି ହୃଦୟମୋହିନୀଙ୍କ ଦୋହାନ୍ତ: ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀ

ଜୟପୁର,ଏଜେନ୍ସି: ପ୍ରଜାପତି ବ୍ରହ୍ମକୁମାରୀର ମୁଖ୍ୟ ରାଜଯୋଗିନୀ ଦାଦି ହୃଦୟମୋହିନୀଙ୍କ ଗୁରୁବାର ବିଳମ୍ବିତ ରାତ୍ରିରେ ମୁମ୍ବାଇ ସ୍ଥିତ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର ମାର୍ଚ୍ଚ ୧୩ ତାରିଖରେ କରାଯିବ। ବ୍ରହ୍ମକୁମାରୀର ସୂଚନା ନିର୍ଦ୍ଦେଶକ ବିକେ କଋଣାଙ୍କ ସୂଚନା ଅନୁସାରେ ରାଜଯୋଗିନୀ ଦାଦି ହୃଦୟମୋହିନୀଙ୍କ ଗତ ୧୫ ଦିନ ହେବ ମୁମ୍ବାଇର ସୋଫି ହସ୍ପିଟାଲରେ ଚିକିତ୍ସା ଚାଲିଥିଲା।

ଗତ ଏକ ବର୍ଷ ପୂର୍ବେ ଦାଦି ଜାନକିଙ୍କ ଦେହାନ୍ତ ପରେ ତାଙ୍କୁ ସଂସ୍ଥାର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କର ପାର୍ଥିବ ଶରୀରକୁ ଆବୁ ରୋଡ ସ୍ଥିତ ଅନ୍ତରାଷ୍ଟ୍ରୀୟ ମୁଖ୍ୟାଳୟକୁ ନିଆଯିବ। ସେଠାରେ ଲୋକମାନେ ତାଙ୍କର ଶେଷ ଦର୍ଶନ କରିବେ। ପରେ ମାର୍ଚ୍ଚ ୧୩ ଅର୍ଥାତ୍ ଆସନ୍ତା କାଲି ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ବିକେ କଋଣା ସୂଚନା ଦେଇଛନ୍ତି।

ଦାଦି ହୃଦୟମୋହିନୀଙ୍କ ଦେହାନ୍ତ ଖବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି କି ସାମାଜିକ ସଶକ୍ତୀକରଣ ଓ ମାନବିକ ପୀଡ଼ାକୁ କମ କରିବା ପାଇଁ ତାଙ୍କର ଅଗଣିତ ପ୍ରୟାସକୁ ନେଇ ତାଙ୍କୁ ଲୋକେ ମନେ ରଖିବେ। ବ୍ରହ୍ମକୁମାରୀ ପରିବାରର ସକାରାତ୍ମକ ସନ୍ଦେଶକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାରେ ତାଙ୍କର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କ ଦେହାନ୍ତ ମତେ ମର୍ମାହତ କରିଛି ବୋଲି ମୋଦୀ କହିଛନ୍ତି।

ଏହି ଘଟଣାରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ରାଜଯୋଗିନୀ ଦାଦି ହୃଦୟମୋହିନୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି। ଆଧ୍ୟାତ୍ମିକ ଚେତନାକୁ ପ୍ରେରଣା ଦେବାରେ ତାଙ୍କର ଭୂମିକା ପାଇଁ ତାଙ୍କୁ ସ୍ମରଣ କରାଯିବ। ଏଥିସହିତ ତାଙ୍କ ଶିକ୍ଷା ବ୍ରହ୍ମକୁମାରୀଙ୍କୁ ସମଗ୍ର ବିଶ୍ୱରେ ମାର୍ଗ ଦର୍ଶନ କରିବ ବୋଲି କହିଛନ୍ତି।