ନୂତନ ଶିକ୍ଷା ନୀତି ନୂତନ ଭାରତର ମୂଳଦୁଆ ପକାଇବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ନୂତନ ଜାତୀୟ ଶିକ୍ଷା ନୀତି ଉପରେ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୪ ବର୍ଷର ଆଲୋଚନା, ପରୀକ୍ଷା ଏବଂ ତର୍ଜମା ପରେ ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି। ଆଜି ପ୍ରତ୍ୟେକ ଚିନ୍ତାଧାରାର ଲୋକମାନେ ଏହି ପ୍ରସଙ୍ଗରେ ମତ ରଖୁଛନ୍ତି ଏବଂ ବିଚାର ମଧ୍ୟ କରୁଛନ୍ତି। ଶିକ୍ଷା ନୀତିରେ ଦେଶର ଲକ୍ଷ୍ୟକୁ ମନେ ରଖିବା ଜରୁରୀ ଅଟେ, ଯାହା ଦ୍ୱାରା ଆଗାମୀ ପିଢୀଙ୍କ ଭବିଷ୍ୟତ ପ୍ରସ୍ତୁତ ହୋଇପାରିବ। ଏହି ନୀତି ଏକ ନୂତନ ଭାରତ ପାଇଁ ମୂଳଦୁଆ ପକାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତକୁ ଶକ୍ତିଶାଳୀ ଓ ନାଗରିକମାନଙ୍କୁ ସଶକ୍ତ କରିବା ପାଇଁ ଏକ ଉତ୍ତମ ଶିକ୍ଷା ଆବଶ୍ୟକ। ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଙ୍କୁ ଯାହା ସାହାଯ୍ୟ ଦରକାର, ମୁଁ ଆପଣଙ୍କ ସହିତ ଅଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ନର୍ସରୀ ପିଲା ନୂତନ ଟେକ୍ନୋଲୋଜି ବିଷୟରେ ପଢ଼ିଲେ, ତାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ସହଜ ହେବ। ଆଗରୁ ପିଲାମାନେ ଡାକ୍ତର-ଇଞ୍ଜିନିୟର-ଓକିଲ ହେବା ପାଇଁ ଏକ ପ୍ରତିଯୋଗିତା କରୁଥିଲେ। କିନ୍ତୁ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ସୃଜନଶୀଳ ଚିନ୍ତାଧାରା ଅନୁସରଣ କରିବାକୁ ସକ୍ଷମ ହେବେ। ବର୍ତ୍ତମାନ କେବଳ ଅଧ୍ୟୟନ ନୁହେଁ କାର୍ଯ୍ୟ ସଂସ୍କୃତିର ମଧ୍ୟ ବିକାଶ କରାଯାଇଛି।

ନୂତନ ଶିକ୍ଷା ନୀତି ପ୍ରସ୍ତୁତ କରିବାବେଳେ ବର୍ତ୍ତମାନର ଶିକ୍ଷା ନୀତି ଯୁବପିଢ଼ିଙ୍କୁ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ସୁଯୋଗ ଦେଉଛି କି? ଆମର ଶିକ୍ଷା ବ୍ୟବସ୍ଥା ଯୁବକମାନଙ୍କୁ ସକ୍ଷମ କରୁଛି କି? ଏଭଳି ପ୍ରଶ୍ନଗୁଡ଼ିକ ଉପରେ ଗମ୍ଭୀର ଭାବରେ ଆଲୋଚନା କରାଯାଇଥିଲା। ବିଶ୍ୱର ଶିକ୍ଷା ନୀତି ସହ ତାଳ ଦେଇ ଚାଲିବା ପାଇଁ ହେଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।