ଶିଶୁଙ୍କୁ ଟିକା ପାଇଁ ଜରୁରୀକାଳୀନ ବ୍ୟବହାରର ଅନୁମତି ମାଗିଲା ଫାଇଜର-ବାୟୋଏନଟେକ

ୱାଶିଂଟନ,ଏଜେନ୍ସି: ୬ ମାସରୁ ୫ ବର୍ଷର ଶିଶୁଙ୍କ ଟୀକାକରଣ ପାଇଁ କୋଭିଡ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ମାଗିଲା ବିଦେଶୀ ଫାର୍ମା କମ୍ପାନୀ ଫାଇଜର ଏବଂ ବାୟୋଏନଟେକ। ଟିକାକରଣରେ ଶିଶୁଙ୍କୁ ସାମିଲ ପାଇଁ ଏଫ୍‌ଡିଏକୁ ଅନୁମତି ମଗାଯାଇଥିବା ଏହି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏକ ବିବୃତ୍ତି ଜରିଆରେ ସୂଚନା ଦେଇଛନ୍ତି। ଯଦି ଏଫ୍‌ଡିଏ ଏହାକୁ ଅନୁମୋଦନ କରେ ତେବେ ଶିଶୁଙ୍କ ଟିକାକରଣ କ୍ଷେତ୍ରରେ ଫାଇଜର-ବାୟୋଏନଟେକ ଦ୍ବାରା ପ୍ରସ୍ତୁତ ଟିକା ପ୍ରଥମ ହେବ।

ବର୍ତ୍ତମାନ ୫ ବର୍ଷରୁ କମ୍ ଶିଶୁଙ୍କ ହସ୍ପିଟାଲାଇଜେନସ ସଂଖ୍ୟା ବୃଦ୍ଧି ପାଉଛି। ତେଣୁ ଘାତକ ଭାଇରସ କବଳରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ ଆମେ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ଫାଇଜରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅଧ୍ୟକ୍ଷ ଆଲବର୍ଟ ବୌରଲା। ବର୍ତ୍ତମାନ ଏବଂ ସାମ୍ଭାବ୍ୟ ଭାରିଆଣ୍ଟ ଠାରୁ ୬ ମାସରୁ ୪ ବର୍ଷର ପିଲାଙ୍କୁ ସୁରକ୍ଷା ଦେବାରେ ତିନି ଡୋଜ୍ ଟିକା ଆବଶ୍ୟକ ବୋଲି ସେ ବିଶ୍ବାସ କରୁଥିବା ପ୍ରକାଶ କରିଛନ୍ତି ବୌରଲା।

ଏନେଇ ବାୟୋଏନଟେକ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଉଗର ସହିନ କହିଛନ୍ତି, ୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପିଲାଙ୍କୁ ଟିକା ଦିଆଯିବା କ୍ଷେତ୍ରରେ ଭ୍ୟାକ୍ସିନ ପୂର୍ବରୁ ହିଁ ବିଭିନ୍ନ କ୍ଲିନିକାଲ ଟ୍ରାଏଲରେ ସୁରକ୍ଷିତ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଶିଶୁଙ୍କ ନିରପତ୍ତା ଦିଗରେ ପିତାମାତାଙ୍କୁ ସାହାଯ୍ୟ ପାଇଁ ଆମେ ଉତ୍ସୁକ ଅଛୁ। ତେବେ ଆସନ୍ତା କିଛି ଦିନ ମଧ୍ୟରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ସ୍ବୀକୃତି ମିଳିବ ବୋଲି ଆଶା ରଖିଛନ୍ତି କମ୍ପାନୀ।