ଆଜି ଦେଶରେ ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ପୁଣି ବଢିଲା ତୈଳ ଦର। ରବିବାର ପେଟ୍ରୋଲ ଲିଟର ପିଛା ୫୦ ପଇସା ବୃଦ୍ଧି ପାଇଛି। ଡିଜେଲ ମଧ୍ୟ ୫୫ ପଇସା ମହଙ୍ଗା ହୋଇଛି। ଲଗାତାର ଭାବେ ତୈଳ କମ୍ପାନୀମାନେ ରେଟ୍ ବଢାଇ ଚାଲିଛନ୍ତି। ଫଳରେ ଗତ ୬ ଦିନ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ୩ ଟଙ୍କା ୭୦ ଏବଂ ୩ ଟଙ୍କା ୭୫ ପଇସା ବଢିଛି। ଆଜିର ବର୍ଦ୍ଧିତ ଦର ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୯୮.୮୭ ଟଙ୍କାରୁ ବୃଦ୍ଧି ପାଇ ୯୯.୧୧ ଟଙ୍କା ହୋଇଛି। ସେହିପରି ଡିଜେଲ ମଧ୍ୟ ୮୯.୮୭ ଟଙ୍କାରୁ ୯୦.୪୨ ଟଙ୍କାରେ ପହଞ୍ଚିଛି।

ଦେଶବ୍ୟାପୀ ତୈଳ ଦର ବୃଦ୍ଧି ପାଇଛି। ମାର୍ଚ୍ଚ ୨୨ ତାରିଖରୁ କେବଳ ଗୋଟିଏ ଦିନ ବ୍ୟତୀତ ଅନ୍ୟ ସବୁଦିନ ଦର ବଢିଛି। ଗତକାଲି ପେଟ୍ରୋଲ-ଡିଜେଲ ମୂଲ୍ୟରେ ୮୦ ପଇସା ଲେଖାଏଁ ବୃଦ୍ଧି ହୋଇଥିବା ବେଳେ ଆଜି ୫୦ ପଇସା ଓ ୫୫ ପଇସା ବଢିଛି। ଆଜି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୫୩ ପଇସା ବୃଦ୍ଧି ସହ ରେଟ୍ ୧୧୩.୮୮ ଏବଂ ଡିଜେଲ ୫୮ ପଇସା ବଢି ୯୮.୧୩ ଟଙ୍କା ହୋଇଯାଇଛି। ସ୍ଥାନୀୟ ଟିକସ ଏବଂ ପରିବହନ ଖର୍ଚ୍ଚ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ୧୨୦ ଡଲାରରେ ପହଞ୍ଚିଛି। ନିକଟରେ ସରିଥିବା ୫ ରାଜ୍ୟର ନିର୍ବାଚନ ପୂର୍ବରୁ ତୈଳ କମ୍ପାନୀ ଦର ବୃଦ୍ଧି କରୁନଥିଲେ। ହେଲେ ଏବେ ନିର୍ବାଚନ ସରିବା ପରେ ତୈଳ ଦର ବଢିବାରେ ଲାଗିଛି। ଆଗକୁ ମଧ୍ୟ ଦର ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଏଭଳି ଭାବେ ଦରଦାମ ବୃଦ୍ଧି ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା କହି କଂଗ୍ରେସ ଏବଂ ଅନ୍ୟ ବିରୋଧି ଦଳ ଏବେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି।