ଥମୁନି ତେଲ ତାତି, ପୁଣି ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,ଏଜେନ୍ସି: ଦେଶବାସୀଙ୍କୁ କଲବଲ କରୁଛି ତେଲ ଦର। ଆଜି ଦେଶରେ ପୁଣିଥରେ ପେଟ୍ରୋଲ ଓ ଡିଜେଲ ଦାମ୍ ବୃଦ୍ଧି ପାଇଛି(Petrol, diesel prices hike)। ବିଗତ ୧୫ ଦିନରେ ୧୩ ଥର ଦର ବଢିଲାଣି। ଆଜି ପୁଣି ପେଟ୍ରୋଲ ଓ ଡିଲେଲ ଲିଟର ପିଛା ୮୦ ପଇସା ଲେଖାଏଁ ବଢିଛି। ପ୍ରତିଦିନ ତେଲ ଦର ବଢିଚାଲିଛି। ଫଳରେ ଗତ ଦୁଇ ସପ୍ତାହ ମଧ୍ୟରେ ତେଲ ମୋଟ ୯.୨୦ ଟଙ୍କା ମହଙ୍ଗା ହୋଇଛି।

ଆଜି ରାଜଧାନୀ ଦିଲ୍ଲରେ ତେଲ ୮୦ ପଇସା ବଢିବା ସହ ଏବେ ଏଠାରେ ପେଟ୍ରୋଲ ଲିଟର ୧୦୪.୬୧ ଟଙ୍କା ଓ ଡିଜେଲ ୯୫.୮୭ ଟଙ୍କାରେ ପହଞ୍ଚିଛି। ମୁମ୍ବାଇଲେ ପେଟ୍ରୋଲ ଲିଟର ପିଛା ୮୪ ପଇସା ଓ ଡିଜେଲ ୮୫ ପଇସା ମହଙ୍ଗା ହୋଇଛି। ଫଳରେ ବାଣିଜ୍ୟ ସହରରେ ତେଲ ଦର ଯଥାକ୍ରମେ ୧୧୯.୬୭ ଟଙ୍କା ଓ ୧୦୩.୯୨ ଟଙ୍କା ହୋଇଛି। ଦେଶବ୍ୟାପୀ ତେଲ ଦର ବୃଦ୍ଧି ପାଇଛି। ସ୍ଥାନୀୟ ଟିକସ ଆଧାରରେ ବିଭିନ୍ନ ସ୍ଥାନରେ ଦର ଭିନ୍ନ ଭିନ୍ନ ହୋଇଥାଏ।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୨ ତାରିଖରୁ ଦେଶରେ ତେଲ ଦର ବଢିଚାଲିଛି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଓ ସରକାର ଗଠନ ପରେ ତୈଳ କମ୍ପାନୀମାନେ ଦର ବଢାଇ ଚାଲିଛନ୍ତି। ତେଲ ଦର ବୃଦ୍ଧିର ପ୍ରଭାବ ଅନ୍ୟ ଖାଉଟି ସାମଗ୍ରୀ ଉପରେ ପଡୁଛି। ଫଳରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି ପାଉଛି। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧି। ବିଭିନ୍ନ ସ୍ଥାନରେ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।