ପେଟ୍ରୋଲ୍‌, ଡିଜେଲ୍‌, ଏଲ୍‌ପିଜି ଦର ବୃଦ୍ଧି ପ୍ରସଙ୍ଗ: ନଭେମ୍ବର ୧ରେ ପ୍ରତିବାଦ କରିବ ବିଜେଡି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଚୁପ୍ ଥିବା ଶାସକ ବିଜେଡି ଏବେ ଜୋରଦାର ପ୍ରତିବାଦ କରିବ ଦରବୃଦ୍ଧି ପ୍ରସଙ୍ଗରେ। ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ଦଳପକ୍ଷରୁ ରାଜଧାନୀଠାରୁ ଗାଁ ପର୍ଯ୍ୟନ୍ତ କେନ୍ଦ୍ର ବିରୋଧରେ କଡ଼ା ପ୍ରତିବାଦ କରାଯିବ। ବିଜୁ ମହିଳା ଜନତାଦଳ ରବିବାର ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି। ନଭେମ୍ବର ୧ରେ ଦଳ କର୍ମକର୍ତ୍ତାଙ୍କ ଦ୍ୱାରା ନିର୍ବାଚନମଣ୍ଡଳୀରେ ପ୍ରତିବାଦ କରାଯିବ। ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।

ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ ଓ ପ୍ରମିଳା ମଲ୍ଲିକ ଏହି ସୂଚନା ଦେଇଛନ୍ତି। ଏହି ତିନି ନେତା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଦର ସମେତ ଆବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ହୋଇଛି। ଏଥିଯୋଗୁଁ ଓଡ଼ିଶା ତଥା ସମଗ୍ର ଦେଶର ସାଧାରଣ ଜନତା ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏହି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ।

ଶ୍ରୀ ଦେବ ଓ ଶ୍ରୀ ନାୟକ କହିଛନ୍ତି ଯେ ରାଜ୍ୟ ତମାମ ସବୁ ବର୍ଗର ପରିବାରକୁ ରନ୍ଧନଗ୍ୟାସ୍‌ର ଦରବୃଦ୍ଧି ପ୍ରଭାବିତ କରିଛି। ୧୫.୪ କିଲୋ ଓଜନର ରନ୍ଧନଗ୍ୟାସ୍ ସିଲିଣ୍ଡର ଦର ରାଜ୍ୟରେ ଏବେ ୧୦୦୦ ଟଙ୍କା ଛୁଇଁଥିବା ବେଳେ ହାଣ୍ଡିଶାଳ ଉପରେ ଏହା କୋରୋଡ଼ା ମାଡ଼ ସଦୃଶ ହୋଇଛି। ୨୦୨୧ ଜୁଲାଇରୁ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‌ପିଜି ଦର ଶେଷଥର ପାଇଁ ୨୦୨୧ ଅକ୍ଟୋବର ୬ରେ ୧୪.୨ କେଲୋ ସିଲିଣ୍ଡର ପିଛା ୧୫ ଟଙ୍କା ବୃଦ୍ଧି ପାଇଥିଲା। ଏଲ୍‌ପିଜି ରନ୍ଧନ ଗ୍ୟାସ ଦର ଆସନ୍ତା ସପ୍ତାହରେ ପୁଣି ବୃଦ୍ଧି ପାଇପାରେ। ଏହା ଲୋକଙ୍କ ଯନ୍ତ୍ରଣାକୁ ଆହୁରି ବଢ଼ାଇଦେବ। ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୭୧ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଏବଂ ୧୪.୨ କିଲୋ ଏଲ୍‌ପିଜି ସିଲିଣ୍ଡର ଦର ୯୨୬ ଟଙ୍କା ରହିଛି। ତେବେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ବେଳେ ୨୦୧୯ରେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା।

ଗତ ଦୁଇ ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଗତିରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। କେବଳ ଇନ୍ଧନ କିମ୍ବା ଏଲପିଜିର ଦର ନୁହେଁ, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ହାଣ୍ଡିଶାଳରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ରାଜ୍ୟର ମା’ ଓ ଭଉଣୀମାନଙ୍କୁ ଅଧିକ ବ୍ୟଥା ଓ ଯନ୍ତ୍ରଣା ଦେଇଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ୪୦% ରୁ ୧୦୦% ପର୍ଯ୍ୟନ୍ତ ବୃଦ୍ଧିପାଇଛି। ଏସବୁ ସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିଶେଷ କିଛି ପଦକ୍ଷେପ ନେଉନାହାନ୍ତି। ରନ୍ଧନ ଗ୍ୟାସ, ପରିବହନ ଏବଂ ଲୋକଙ୍କ ମୌଳିକ ଆବଶ୍ୟକତା ସହ ଜଡ଼ିତ ସବୁ ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି। ସବୁଠାରୁ ଉଦ୍‌ବେଗର କଥା ହେଉଛି ଯେ କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଛି।

ଏହି ଅବସରରେ ବରିଷ୍ଠ ନେତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ସରକାରର ଏହି ବିଫଳତା ଯୋଗୁଁ ରାଜ୍ୟର କୋଟି କୋଟି ମା’ ଭଉଣୀଙ୍କ ସମେତ ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ପ୍ରଭାବିତ ହେଉଛନ୍ତି। ବିଶେଷକରି ମା’ ଓ ଭଉଣୀଙ୍କ ହାଣ୍ଡିଶାଳ ଉପରେ ମହଙ୍ଗା ମାଡ଼ ଅନୁଭୂତ ହେଉଛି। ରବିବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯିବ।

କେନ୍ଦ୍ର ସରକାର ଦ୍ୱାରା, ପେଟ୍ରୋଲ, ଡିଜେଲ, ଏଲପିଜି, ଖାଇବା ତେଲ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ କରିବା ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ। ସେହିପରି ନଭେମ୍ବର ୧ ତାରିଖରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ବିଜୁ ଜନତାଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ।