ବିଜେଡିରେ ମିଶ୍ରଣ ପର୍ବ: ମିଶିଲେ କଂଗ୍ରେସ୍‌, ବିଜେପି, ସିପିଆଇ ନେତା ଓ କର୍ମୀ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଶନିବାର ଦୁଇ ପର୍ଯ୍ୟାୟରେ ବିଜେଡିର ମିଶ୍ରଣ ପର୍ବ ଆୟୋଜିତ ହୋଇଛି। କଂଗ୍ରେସ, ବିଜେପି ଓ ସିପିଆଇର ଶତାଧିକ ନେତା ଓ କର୍ମୀ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ସେମାନଙ୍କୁ ଦଳପକ୍ଷରୁ ସ୍ୱାଗତ କରାଯାଇଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ କଂଗ୍ରେସ ନେତା ତଥା ଆଳି ସାନମଙ୍ଗ ସରପଞ୍ଚ ପ୍ରୀତି ରଞ୍ଜନ ରାୟ ତାଙ୍କର ୭୦ ଜଣ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିରେ ମିଶିଛନ୍ତି। ନିଜ ପଞ୍ଚାୟତର ଉନ୍ନତି ଲାଗି ସେମାନେ ବିଜେଡିରେ ସାମିଲ ହୋଇଥିବା ପ୍ରୀତି ରଞ୍ଜନ ରାୟ କହିଛନ୍ତି। ମିଶ୍ରଣ ପର୍ବରେ ଆଳି ବିଧାୟକ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ବିଜେଡି ସାଂସଦ ସୁବାସ ସିଂଙ୍କ ବାସଭବନରେ ୪୨ଟି ସଂଗଠନର କର୍ମକର୍ତ୍ତା ମଧ୍ୟ ବିଜେଡିରେ ସାମିଲ ହେବା ସହ ଶ୍ରମିକ ନେତା ତଥା ସିପିଆଇ ନେତା ନବ ମହାନ୍ତି ବିଜେଡିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ସୁବାସ ସିଂ ଓ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।