କରୋନା ଔଷଧ ବିକ୍ରି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର,ଏନ୍ଏନ୍ଏସ୍: ହସ୍ପିଟାଲ ସହ ଜଡ଼ିତ ଥିବା ଔଷଧ ଦୋକାନରେ ଫେଭିପିରାଭିର ବଟିକା ଓ ରେମଡିସିଭିର ଇଞ୍ଜେକ୍ସନ ମିଳିବ। ଅନ୍ୟ କୌଣସି ଦୋକାନରେ ଏହି ଔଷଧ ମିଳିବ ନାହିଁ। ଏନେଇ ଡିସିଜିଆଇ ଅନୁମତି ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସକ୍ରିପସନ୍ ଥିଲେ ହିଁ ଔଷଧ କିଣିପାରିବେ। ଚିକିତ୍ସା ଆରମ୍ଭ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଫର୍ମରେ ରୋଗୀ କିମ୍ବା ତାଙ୍କ ପ୍ରତିନିଧିଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। ଏହି ଔଷଧ ବିକ୍ରି ବେଳେ ଡାକ୍ତରଙ୍କ ପ୍ରେସକ୍ରିପସନ, ରୋଗୀଙ୍କ ସମ୍ମତିପତ୍ର, ଔଷଧ କିଣୁଥିବା ବ୍ୟକ୍ତିଙ୍କ ବାସସ୍ଥାନ ପ୍ରମାଣପତ୍ର ଓ ଯୋଗାଯୋଗର ସମ୍ପୂର୍ଣ୍ଣ ଠିକଣାର ଫଟୋକପି ରଖିବାକୁ ପଡ଼ିବ। ଔଷଧ ଦୋକାନୀ ପ୍ରତି ସପ୍ତାହରେ ଔଷଧ ଇନ୍ସପେକ୍ଟରଙ୍କୁ ଏହି ଔଷଧର କିଣାବିକା ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଏନେଇ ଡ୍ରଗ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ ନିୟମଗୁଡ଼ିକ କଡ଼ାକଡ଼ି ପାଳନ ହେଉଛି କି ନାହିଁ ସ୍ଥାନୀୟ ଇନ୍ସପେକ୍ଟର ଯାଞ୍ଚ କରିବେ।