ଜୁଲାଇ ୧୬ ପର୍ଯ୍ୟନ୍ତ ଜାରି ରହିବ ଆଂଶିକ ଲକଡାଉନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଜୁଲାଇ ୧୬ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ପାଳନ କରାଯିବ।  ସଂନ୍ଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ପୂର୍ବଭଳି କାଟେଗରୀ ରହିଥିବାବେଳେ ସଂକ୍ରମଣ କମିଥିବାରୁ ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା କାଟେଗରୀ ‘ଏ’ରେ ସାମିଲ ହୋଇଛନ୍ତି। ଏହି ୩ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତକୁ କମିଥିବାରୁ କାଟେଗରୀ ‘ଏ’କୁ ଉନ୍ନୀତ କରାଯାଇଛି। ଫଳରେ ୨୦ଟି ଜିଲ୍ଲା କାଟେଗରୀ ‘ଏ’ରେ ରହିଥିବାବେଳେ ୫ ପ୍ରତିଶତରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲ୍ଲା କାଟେଗରୀ ‘ବି’ରେ ରହିଛନ୍ତି।

ସେହିପରି କାଟେଗରୀ ‘ଏ’ରେ ଥିବା ୨୦ ଜିଲ୍ଲାରେ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ସପିଙ୍ଗ ମଲ୍ ଓ ପାର୍ଲର ଆଦି ଛାଡ଼ି ଆଉ ସବୁ ଦୋକାନ ଖୋଲା ରହିବ। ଉକ୍ତ ଜିଲ୍ଲାରେ ଧାର୍ଯ୍ୟ ସିଟରେ ବସ୍ ଓ ଟ୍ୟାକ୍ସି ଚଳାଚଳ କରିବ। ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ। ଏଥିସହିତ ସପ୍ତାହନ୍ତ ସଟଡାଉନ ମଧ୍ୟ ପାଳନ କରାଯିବ ନାହିଁ। ସାପ୍ତାହିକ ହାଟ ଖୋଲିବାକୁ ମଧ୍ୟ ଅନୁମତି ମିଳିବ। ଅନ୍ୟପଟେ କାଟେଗରୀ ‘ବି’ରେ ସକାଳ ୬ଟାରୁ ଦିନ ୨ଟା ଯାଏ ଦୋକାନ ଖୋଲିବ। ୧୦ ଜିଲ୍ଲାରେ ମଲ୍, ସ୍ପା ଓ ପାର୍ଲର ଛାଡ଼ି ସବୁ ଦୋକାନ ଖୋଲିବ। କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନୀ ନେବେ। ଗାଇଡଲାଇନ ଉଲ୍ଲଂଘନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସାରା ରାଜ୍ୟରେ ଛୋଟ ଛୋଟ ସେଲୁନ ଖୋଲିପାରିବ। ୧୦ ଜିଲ୍ଲାରେ ଆଉଟଡୋର ସୁଟିଂକୁ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି।