ନୂଆଦିଲ୍ଲୀ,ଏଜେନ୍ସି: ସମୁଦ୍ରପଥରେ ନିଶାଦ୍ରବ୍ୟ ଚାଲାଣ ଯୋଜନା ପଣ୍ଡ । କୋଷ୍ଟଗାର୍ଡ କବଜାରେ ଚାଲାଣକାରୀ । ଭାରତୀୟ ତଟରକ୍ଷୀ ବାହିନୀକୁ ସଫଳତା । ଗୁଜୁରାଟ ଉପକୂଳରେ ସମୁଦ୍ରରୁ ଏକ ପାକିସ୍ତାନୀ ବୋଟକୁ ଜବତ କରିଛି । ସେଥିରେ ଥିବା ୧୦ ଜଣଙ୍କୁ ଗିରଫ କରିଛି ଭାରତୀୟ ତଟରକ୍ଷୀ ବାହିନୀ । ବୋଟରୁ ୩୦୦ କୋଟି ଡ୍ରଗ୍ସ ସହ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ହୋଇଛି ।
ଯାଞ୍ଚ ବେଳେ ତଟରକ୍ଷୀ ବାହିନୀକୁ ସେହି ବୋଟରୁ ଅସ୍ତ୍ରଶସ୍ତ୍ର ସମେତ ୪୦ କିଲୋଗ୍ରାମ ଡ୍ରଗ୍ସ ମିଳିଛି ଯାହାର ମୂଲ୍ୟ ୩୦୦ କୋଟି ହେବ ବୋଲି ଅନୁମାନ କରାଯାଉଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ୧୦ଟି ପିସ୍ତଲ ଓ ୨୧୦ ରାଉଣ୍ଡ ଗୁଳି ରହିଛି । ଡିସେମ୍ବର ୨୫ ଓ ୨୬ ତାରିଖ ରାତିରେ ଅନ୍ତର୍ଜାତୀୟ ଜଳସୀମା ଅତିକ୍ରମ କରି ଭାରତୀୟ ସୀମାକୁ ପ୍ରବେଶ ଏକ ପାକିସ୍ତାନୀ ବୋଟ ଅନୁପ୍ରବେଶ କରିବା ସମ୍ପର୍କରେ ଏଟିଏସ୍ ଠାରୁ ଗୁଇନ୍ଦା ସୂଚନା ମିଳିବା ପରେ ତଟରକ୍ଷୀ ବାହିନୀର ଅଧିକାରୀମାନେ ଅପରେସେନ ଆରମ୍ଭ କରିଥିଲେ । ଅରିଞ୍ଜୟ ଜାହାଜ ସହାୟତାରେ ପାଟ୍ରୋଲିଂ କରିଥିଲେ । ଏହାପରେ ଭାରତୀୟ ଜଳରାଶିରେ ସନ୍ଦେହଜନକ ଭାବେ ଘୁରି ବୁଲୁଥିବା ପାକିସ୍ତାନୀ ବୋଟ ଅଲ ସୋହେଲିକୁ ସେମାନେ ଦେଖିବାକୁ ପାଇଥିଲେ ।
ଏହାପରେ ସେମାନେ ବୋଟଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ । ହେଲେ ତାହା ଦ୍ରୁତ ଗତିରେ ଖସି ଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ତଟରକ୍ଷୀ ବାହିନୀ କବଳରୁ ବର୍ତ୍ତି ପାରିନଥିଲା । କୋଷ୍ଟଗାର୍ଡ ବୋଟକୁ ଜବତ କରିବା ସହିତ ସେଥିରେ ଥିବା ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କୁ ପଚରାଉଚରା କରିବା ପାଇଁ ଓଖା ଉପକୂଳକୁ ଆଣାଯାଇଛି ।