କ୍ୟୁରେସି କହିଲେ ଜମ୍ମୁ-କଶ୍ମୀର ଭାରତର

ଜେନେଭା : ପାକିସ୍ତାନ ମଙ୍ଗଳବାର ଜାତିସଂଘ ମାନବାଧିକାର ପରିଷଦ (ୟୁଏନ୍ଏଚ୍ଆରସି)ରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ୍ କ୍ୟୁରେସି ଜମ୍ମୁ-କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନର ଅନ୍ତର୍ଜାତୀୟ ସ୍ତରରେ ତଦନ୍ତ କରାଯାଉ ବୋଲି ଦାବି କରିଥିଲେ।

ଏହା ପରେ କ୍ୟୁରେସି ପରିଷଦ ବାହାରେ ସାମ୍ବାଦିକଙ୍କ ସହ କଥା ହେଲାବେଳେ କହୁ କହୁ ଜମ୍ମୁ-କଶ୍ମୀର ଭାରତର ଅଙ୍ଗ ବୋଲି କହିଦେଲେ।କିନ୍ତୁ ପାକିସ୍ତାନ ଜମ୍ମୁ-କଶ୍ମୀରକୁ ଭାରତର ବୋଲି ସ୍ୱୀକାର କରେନାହିଁ। ବରଂ ଏହାକୁ ଭାରତ ଅଧିକୃତ କଶ୍ମୀର ବୋଲି କହିଆସୁଛି। ଜମ୍ମୁ-କଶ୍ମୀର ଭାରତର ଏକ ରାଜ୍ୟ ବୋଲି ପାକ୍ ବୈଦେଶିକ ମନ୍ତ୍ରୀଙ୍କ ତୁଣ୍ଡରୁ ବାହାରିଥିବାରୁ ଏଥିନେଇ ବିଭିନ୍ନ ମହଲରେ ବେଶ୍ ଚର୍ଚ୍ଚା ହେଉଛି।

କ୍ୟୁରେସି କହିଥିଲେ, କଶ୍ମୀରରେ ଜୀବନଯାତ୍ରା ସ୍ୱାଭାବିକ ହେଲାଣି ବୋଲି ସମଗ୍ର ବିଶ୍ୱକୁ ଜଣାଇବା ପାଇଁ ଭାରତ ଉଦ୍ୟମ କରୁଛି। ଯଦି ସେଠାରେ ସ୍ୱାଭାବିକ ଅବସ୍ଥା ଫେରିଆସିଲାଣି, ତାହାହେଲେ ଅନ୍ତଃରାଷ୍ଟ୍ରୀୟ ମିଡିଆ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସେଠାକୁ ଯିବାକୁ କାହିଁକି ବାରଣ କରାଯାଉଛି? ଭାରତ ପ୍ରକୃତ ସ୍ଥିତି ସମ୍ପର୍କରେ ଲୁଚାଇବାକୁ ଚାହୁଁଛି। ରାଜ୍ୟରୁ କର୍ଫ୍ୟୁ ହଟିଗଲେ ବାସ୍ତବ ସ୍ଥିତି ଲୋକଲୋଚନକୁ ଆସିବ ବୋଲି ପାକ୍ ବୈଦେଶିକ ମନ୍ତ୍ରୀ କ୍ୟୁରେସି କହିଛନ୍ତି।