ଭାରତକୁ ଅକ୍ସିଜେନ ଓ ଟିକା ପାଇଁ କଞ୍ଚାମାଲ ଯୋଗାଇବେ ଫ୍ରାନ୍ସ ଏବଂ ଆମେରିକା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଚାଲିଛି। ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ସ୍ଥିତି ଜଟିଳ ହେବାରେ ଲାଗିଛି। ଦେଶରେ ଅମ୍ଳଜାନ ସଙ୍କଟ ବଡ ସମସ୍ୟା ପାଲଟିଛି। ବିଶ୍ୱର ଅନେକ ଦେଶ ଭାରତକୁ ସହଯୋଗର ହାତ ବଢାଇଛନ୍ତି।

ଭାରତରେ କରୋନା ସଙ୍କଟ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ‘ଯେତେବେଳେ ଆମେରିକାରେ ମହାମାରୀ ସଂକଟ ଆରମ୍ଭ ହୋଇଥିଲା ଭାରତ ଆମକୁ ସହାୟତା କରିଥିଲା। ଭାରତର ଏହି ଆବଶ୍ୟକ ସମୟରେ ଆମେ ସାହାଯ୍ୟ କରିବୁ।’ ତେବେ ଫ୍ରାନ୍ସ ମଧ୍ୟ ଭାରତକୁ ଅକ୍ସିଜେନ ଯୋଗାଇବାରେ ସହାୟତା କରିବ।

ଭାରତୀୟ କମ୍ପାନୀ ସେରମ୍ ଇନଷ୍ଟିଟ୍ୟୁଟର ପ୍ରସ୍ତୁତ ହେଉଥିବା କରୋନା ଟିକା କୋଭିସିଲ୍ଡ ତିଆରିରେ ବ୍ୟବହୃତ କଞ୍ଚାମାଲ ଯୋଗାଣକୁ ଆମେରିକା ବନ୍ଦ କରିଥିଲା। ବର୍ତ୍ତମାନ ଆମେରିକା ତୁରନ୍ତ କଞ୍ଚାମାଲ ଯୋଗାଇବାକୁ ପ୍ରସ୍ତୁତ ଅଛି। ତେଣୁ କୋଭିସିଲ୍ଡ ଟିକା ଉତ୍ପାଦନ ଶୀଘ୍ର ବଢିବ।