ଆଜି ରାଜ୍ୟର ୪୯୧ ସେଣ୍ଟରରେ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟର ୪୯୧ଟି ପରୀକ୍ଷା କେନ୍ଦ୍ରରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ଅନୁଷ୍ଠିତ ହେବ। ୧ ଲକ୍ଷ ମୋଟ ୨୫ ହଜାର ୮୮୦ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ଦୁଇଟି ପର୍ୟ୍ୟାୟରେ ପରୀକ୍ଷା ହେବ। ପ୍ରଥମ ପର୍ଯ୍ୟାୟ ସକାଳ ୮ଟାରୁ ସାଢେ ୧୦ଟା ପର୍ୟ୍ୟନ୍ତ ଏବଂ ଦ୍ବିତୀୟ ପର୍ଯ୍ୟାୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ସାଢେ ୨ଟା ପର୍ଯ୍ୟନ୍ତ ହେବ। ପରୀକ୍ଷାରେ କରୋନା କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏନେଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ପୁଲିସ ମହାନିର୍ଦେଶକଙ୍କ ସମେତ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି।

ଚିଠିରେ ପରୀକ୍ଷା ସୁପରିଚାଳନା ପାଇଁ ଅନୁରୋଧ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା‌ କଡ଼ାକଡ଼ି କରିବାକୁ କୁହାଯାଇଛି। ଓଟିଇଟି ପାଇଁ ହୋଇଥିବା କେନ୍ଦ୍ରଗୁଡ଼ିକ ଜିଲ୍ଲା ଓ ସବ୍‌ଡିଭିଜନାଲ ସ୍ତରରେ କରାଯାଇଛି। ପରୀକ୍ଷାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ତୃଣମୂଳ ସ୍ତରରେ କାର୍ଯ୍ୟରତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସେହିପରି ପରୀକ୍ଷା କେନ୍ଦ୍ରରେ ଆଇନ ଶୃଙ୍ଖଳା ପରିଚାଳନା ଦିଗରେ ପଦକ୍ଷେପ ନେବା ସହ ସବୁ ପରୀକ୍ଷା କେନ୍ଦ୍ରରେ ଇନ୍‌ଭିଜିଲେଟର ଓ ଅବଜରଭର୍‌ ନିଯୁକ୍ତ ପାଇଁ କୁହାଯାଇଛି।