ଓପିଏସ୍‌ସିର କ୍ୟାଡର ପୁନର୍ଗଠନ ଖୁବ୍‌ଶୀଘ୍ର: ୧୪ କୋଟି ବ୍ୟୟରେ ଚାଲିଛି ନୂତନ କୋଠା ନିର୍ମାଣ

ଭୁବନେଶ୍ୱର: ଓପିଏସ୍‌ସି ଭଳି ଅନୁଷ୍ଠାନକୁ ମଜବୁତ୍ କରିବାକୁ ‘ମୋ ସରକାର’ ସର୍ବଦା ଆଗ୍ରହୀ । ସେଥିପାଇଁ ଭିତ୍ତିଭୂମି ବିକାଶ ଉପରେ ଅଧିକ ଫୋକସ୍ ଦିଆଯାଇଛି । ୧୪ କୋଟି ଟଙ୍କା ବ୍ୟୟରେ ଆୟୋଗର ଏକ ନୂତନ କୋଠା ନିର୍ମାଣ ଚାଲିଛି । ଏହା ବ୍ୟତୀତ ଓପିଏସ୍‌ସିର କ୍ୟାଡର ପୁର୍ନଗଠନ ଖୁବ୍‌ଶୀଘ୍ର ହେବ । ତାହା ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଶନିବାର ସ୍ଥାନୀୟ ହୋଟେଲ୍ ସ୍ୱସ୍ତି ପ୍ରିମିୟମ୍ ଠାରେ ଓଡ଼ିଶା ଲୋକସେବା ଆୟୋଗର ୭୫ ବର୍ଷ ପୂର୍ତ୍ତି ସମାରୋହ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଯେ ଓପିଏସ୍‌ସି ହେଉଛି ଭାରତର ସମ୍ବିଧାନର ଏକ ସୃଷ୍ଟି । ତାହା ରାଜ୍ୟ ବିଭିନ୍ନ ଚାକିରି ପାଇଁ ପରୀକ୍ଷା ନିୟନ୍ତ୍ରଣ କରିଥାଏ ।

ଗତ ୭୦ ବର୍ଷ ମଧ୍ୟରେ ଓଡ଼ିିଶା ଲୋକସେବା ଆୟୋଗର ଯାତ୍ରା ଉଲ୍ଲେଖନୀୟ ରହିଛି । ଆୟୋଗ ଦ୍ୱାରା ମନୋନୀତ ହଜାର ହଜାର ପ୍ରାର୍ଥୀ ରାଜ୍ୟର ବିକାଶ ଦିଗରେ ଅତୁଳନୀୟ ଅବଦାନ ରଖିଛନ୍ତି । ନିକଟ ଅତୀତରେ ବହୁ ସଂଖ୍ୟକ ନିଯୁକ୍ତି ଡ୍ରାଇଭ୍ ପରିଚାଳନା କରି ଆୟୋଗ ସକ୍ଷମ ହୋଇଛନ୍ତି । ଟେକ୍ନୋଲୋଜି ବ୍ୟବହାର ସହ ନିଯୁକ୍ତି କ୍ଷେତ୍ରରେ ସର୍ବୋତ୍ତମ ସ୍ୱଚ୍ଛତାକୁ ଅନୁସରଣ କରାଯାଇଛି । ନିଯୁକ୍ତିରେ ବକେୟା କାର୍ଯ୍ୟ ଶେଷ କରି ଓପିଏସ୍‌ସି ଆଗକୁ ଅଗ୍ରସର ହେଉଛି । ଏଥିପାଇଁ ଉକ୍ତ ସଂସ୍ଥାର କର୍ମଚାରୀ ପ୍ରଶଂସାର ପାତ୍ର । ତେଣୁ ଓଡ଼ିଶା ଲୋକସେବା ଆୟୋଗ ସଶକ୍ତ ଓଡ଼ିଶା ଗଠନ ଦିଗରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଓଡ଼ିଶା ଲୋକସେବା ଆୟୋଗର କେତେକ କର୍ମଚାରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସମ୍ମାନିତ କରିବା ସହିତ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଡକ୍ଟର ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶା ଲୋକସେବା ଆୟୋଗର କାର୍ଯ୍ୟର ପ୍ରଶଂସା କରିଥିଲେ । ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ସନତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।