କୃଷକଙ୍କ ସହିତ ରହିଛି, ରହିଥିବି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସବୁ ବେଳେ ଚାଷୀଙ୍କ ସହିତ ରହିଛନ୍ତି ଓ ରହିଥିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ରାଜ୍ୟର ମିଲେଟ ମିଶନ ସାରା ଦେଶରେ ଉଦାହରଣ ସାଜିଛି।
ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ହୋଇଛି ଏହି ମେଗା କୃଷି ପ୍ରଦର୍ଶନୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ କୃଷକମାନେ ସରକାରୀ ଯୋଜନାର ସୁଯୋଗ ନେବା ସହ ନୂତନ ବୈଷୟିକ କୌଶଳର ଲାଭ ଉଠାଇବା ଉଚିତ। କୃଷି ଓଡ଼ିଶା ଆମର ସଫଳ ଚାଷୀଙ୍କର ଏକ ସୁନ୍ଦର ସମାବେଶ। ଚାଷୀଙ୍କ ଦକ୍ଷତା ବିକାଶ ପାଇଁ ଏହି ସମାବେଶ ସହାୟକ ହେବ। ପ୍ରତିବର୍ଷ ଏଥିରେ ଅଧିକରୁ ଅଧିକ ଚାଷୀ ଅଂଶଗ୍ରହଣ କରୁଛନ୍ତି। ଯାହା ଖୁସିର କଥା। ଆମର ଚାଷୀ ଭାଇଭଉଣୀଙ୍କୁ ସେମାନଙ୍କର ଦକ୍ଷତା ଓ ସଫଳତା ପାଳନ କରିବା ପାଇଁ କୃଷି ଓଡ଼ିଶା ସୁଯୋଗ ସୃଷ୍ଟି କରିଛି। ଅନେକ ସ୍ଥାନରେ ଲୋକମାନେ ଚାକିରି ଛାଡ଼ି ଚାଷକୁ ପସନ୍ଦ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶିତ ହେଉଛି। ବିଶେଷକରି ଉଦ୍ୟାନ କୃଷି ଫସଲ ଅଧିକ ଲାଭଜନକ ହୋଇପାରୁଛି। ଆମର ଚାଷୀ ଭାଇ ଭଉଣୀଙ୍କର ସଫଳତା ପାଇଁ ମୁଁ ଗର୍ବିତ। ଓଡ଼ିଶାର ଚାଷୀ କାହାଠାରୁ କମ୍ ନୁହଁନ୍ତି। କରୋନା ଦେଶର ଅର୍ଥନିତୀକୁ ବିଶେଷକରି ପ୍ରଭାବିତ କରିଛି। କିନ୍ତୁ ଆମର କୃଷି କ୍ଷେତ୍ର ହିଁ ସଞ୍ଜିବନୀ ପରି ଆମ ଅର୍ଥନିତିକୁ ଶକ୍ତି ଦେଇଛି। ଚାଷୀର ପ୍ରରିଶ୍ରମ ଓ ତ୍ୟାଗକୁ ମୁଁ ସମ୍ମାନ ଜଣାଉଛି। ବର୍ତ୍ତମାନ ରାଜ୍ୟରେ କରୋନା ପାଇଁ ଟିକାକରଣ ଚାଲୁ ରହିଛି। ମୋର ଅନୁରୋଧ ଆପଣମାନେ ପାଳି ଅନୁଯାୟୀ ଟିକା ନିଶ୍ଚୟ ନିଅନ୍ତୁ। ଚାଷୀ ଯେପରି ତା’ର ଉତ୍ପାଦିତ ଜିନିଷର ଉଚିତ ମୁଲ୍ୟ ପାଇବ, ଠିକ ସମୟରେ ସାର, ବିହନ, ଋଣ ସହାୟତା ପାଇବ ତା’ ଉପରେ ମୁଁ ସବୁବେଳେ ଗୁରୁତ୍ୱ ଦେଉଛି। କାଳିଆ ଯୋଜନାରେ ଚାଷୀଙ୍କୁ ୧୨୭୨କୋଟି ଟଙ୍କା ସହାୟତା ଦିଆଯାଇଛି। ଏମ୍ଏସ୍ପି ବୃଦ୍ଧି ପାଇଁ ଆମ ଲଢ଼େଇ ଜାରି ରହିଛି ଓ ରହିବ ମଧ୍ୟ। ତେବେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେବା ସହ ନୂଆନୂଆ ବୈଷୟିକ କୌଶଳର ପ୍ରୟୋଗ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଥିଲେ ଯେ କୃଷି ମହୋତ୍ସବ ‘କୃଷି ଓଡ଼ିଶା’ର ପ୍ରଭାବ ସୁଦୂର ପ୍ରସାରୀ ହୋଇପାରିଛି। ଏହା ଚାଷୀ, କୃଷି ଉଦ୍ୟୋଗୀ, କୃଷି ବିଶେଷଜ୍ଞ ଓ କୃଷି ସାମଗ୍ରୀ ବିତରଣକାରୀମାନଙ୍କ ପାଇଁ ଜ୍ଞାନ ଲାଭର ଏକ ପ୍ରକୃଷ୍ଟ ସ୍ଥାନ। ବିଗତ ବର୍ଷର ଅନୁଭୂତି ଓ ଅନୁସନ୍ଧାନରୁ ଜଣାପଡ଼ିଛି ଯେ କୃଷି ଓଡ଼ିଶାକୁ ବୁଲି ଦେଖିଥିବା ଅନେକ ଚାଷୀଭାଇ ବିଭିନ୍ନ ପ୍ରକାର କୃଷି ଜ୍ଞାନକୌଶଳ ଆପଣେଇ ସେମାନଙ୍କର ଉତ୍ପାଦନ ବୃଦ୍ଧି କରିଛନ୍ତି ଓ କୃଷି ଉଦ୍ୟୋଗୀ ହୋଇପାରିଛନ୍ତି । ଏହା ଦ୍ୱାରା ରାଜ୍ୟର କୃଷି ଉନ୍ନତ ହେବା ସଙ୍ଗେ ସଙ୍ଗେ ଆନୁଷଙ୍ଗିକ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହୋଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଉନ୍ନତିକରଣ ପାଇଁ ବୈଷୟିକ ଜ୍ଞାନକୌଶଳ, କୃଷି ଯାନ୍ତ୍ରିକୀକରଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସମ୍ବଳ ବିକାଶ, ବଜାର ସୁବିଧା, ଆବଶ୍ୟକୀୟ ଋଣର ସହଜ ଉପଲବ୍ଧତା, ଉନ୍ନତ କୃଷି ସାମଗ୍ରୀର ବିନିଯୋଗ ଓ ବିତରଣ ବ୍ୟବସ୍ଥା ଏବଂ କୃଷି ଉଦ୍ୟୋଗ ସ୍ଥାପନ ନିମନ୍ତେ ଗୋଟିଏ ଛାତତଳେ ସବୁ ଅଂଶୀଦାରମାନଙ୍କୁ ଏକାଠି କରି ସେମାନଙ୍କର ଉନ୍ନତ ଜ୍ଞାନକୌଶଳ ‘କୃଷି ଓଡ଼ିଶା’ ମାଧ୍ୟମରେ ପ୍ରଦର୍ଶିତ ହୋଇଥାଏ। ଯାହା ଦ୍ୱାରା କୃଷକ ଭାଇଭଉଣୀମାନେ ବେଶ ଲାଭବାନ ହୋଇପାରିବେ ବୋଲି ମନ୍ତ୍ରୀ ଡ,ସାହୁ କହିଛନ୍ତି।
ଆଜିର ଏହି ଉଦଘାଟନୀ ଉତ୍ସବରେ ବିଭଗୀୟ ପ୍ରମୁଖ ସଚିବ ଡ. ସୌରଭ ଗର୍ଗ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଏପିସି ରାଜ କୁମାର ଶର୍ମା, ଫିକି ମହାସଚିବ ଦୀଲ୍ଲିପ ଚିନୟେ ଉପସ୍ଥିତ ଥିଲେ। ଶେଷରେ ଆର୍ ରଘୁ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ।
ଚଳିତ ବର୍ଷର କୃଷି ଓଡ଼ିଶାରେ ମୋଟ ୧୬୦ଟି ମଣ୍ଡପ ପ୍ରଦର୍ଶିତ ହେଉଛି । ସେ ଭିତରେ କୃଷି, ଉଦ୍ୟାନ କୃଷି, ମୂର୍ତ୍ତିକା ସଂରକ୍ଷଣ ଓ ଜଳଛାୟା ଆଦି ସଂଖ୍ୟାଧିକ ବିଭାଗ ଭାଗ ନେବାକୁ ଯାଉଛନ୍ତି। ଏହି ଅବସରରେ ୩୦ ଜିଲ୍ଲାର ସଫଳ ଚାଷୀଙ୍କୁ ସମ୍ମାନିତ କରାଯିବ। ଏଥର ଏହି କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ‘ଛତୁ’ କୁ ରଖାଯାଇଛି । ଛତୁର ଗୁଣାତ୍ମକ ମାନ, ସହଜ ଉପଲବ୍ଧତା, ଅଧିକ ଲାଭ, ଉନ୍ନତ ପୁଷ୍ଟିଯୁକ୍ତ ଖାଦ୍ୟ ପ୍ରାଣ ଥିବାରୁ ଏହାକୁ ୨୦୨୧ କୃଷି ପ୍ରଦର୍ଶନୀର ମାସ୍କଟ ଭାବେ ରଖାଯାଇଛି । ସମଗ୍ର ଦେଶରେ ଆମ ରାଜ୍ୟ ଓଡ଼ିଶା ପାଳ ଛତୁ ଉତ୍ପାଦନରେ ପ୍ରଥମ ହୋଇଥିବା ବେଳେ ମୋଟ୍ ଛତୁ ଉତ୍ପାଦନରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି । ଆମ ରାଜ୍ୟରେ ବ୍ୟାପକ ଭାବେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଯୁବବର୍ଗ ଛତୁ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି।