ପୁଣି ପିଆଜ ଦର ବଢ଼ିଲା, କିଲୋ ପିଛା ୬୦ ଛୁଇଁଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପିଆଜ ଦର କମିବା ସମୟରେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର, ପୁରୀ ସମେତ ରାଜ୍ୟର ବିଭିନ୍ନ ସହରରେ ରବିବାର ପିଆଜ ଦର କିଲୋ ପ୍ରତି ୬୦କୁ ବୃଦ୍ଧି ହୋଇଛି। ଶନିବାର ଏହା କିଲୋ ପିଛା ୫୫ରୁ ୬୦ ଟଙ୍କା ଏବଂ ୩/୪ଦିନ ପୂର୍ବରୁ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଥିଲା।

ଉପରମୁଣ୍ଡରେ ପାଇକାରୀ ଦର ବୃଦ୍ଧି ହୋଇଥିବାରୁ ଆଗାମୀ ଦିନରେ ଦର ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।
ଗତ ୪ ଦିନ ମଧ୍ୟରେ ପିଆଜ ଦର କିଲୋ ପ୍ରତି ପ୍ରାୟ ୨୦ ଟଙ୍କା ବୃଦ୍ଧି ହୋଇଥିବାରୁ ଖାଉଟିଙ୍କ ଚିନ୍ତା ବଢ଼ାଇଛି। ସାଧାରଣ ଖାଉଟି, ଖୁଚୁରା ବ୍ୟବସାୟୀ ଏବଂ କ୍ଷୁଦ୍ର ହୋଟେଲଗୁଡ଼ିକ ପିଆଜ ବ୍ୟବହାର କମାଇ ଦେଇଛନ୍ତି। ୨ରୁ ୩ କିଲୋ ପିଆଜ କ୍ରୟ କରୁଥିବା ପରିବାର ୫୦୦ଗ୍ରାମ କିଣିବାକୁ ବାଧ୍ୟ ହେଉଛି।

ଚଳିତ ମାସ ମଧ୍ୟଭାଗରେ ଆନ୍ଧ୍ରରୁ ପିଆଜ ଆସିବା ନେଇ ଆଶା କରାଯାଉଛି, ହେଲେ ଏହି ଆମଦାନୀ ସାରା ରାଜ୍ୟର ଦରକୁ ନିୟନ୍ତ୍ରଣ କରାଇବାରେ ଏତେଟା ସହାୟକ ହେବ ନାହିଁ। ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ, ମହାରାଷ୍ଟ୍ର ସମେତ ପିଆଜ ଉତ୍ପାଦନ ହେଉଥିବା ପ୍ରାୟ ୪ଟି ରାଜ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି। ଅମଳ ହୋଇଥିବା ଲକ୍ଷ ଲକ୍ଷ ଟନ୍‌ର ପିଆଜ ନଷ୍ଟ ହୋଇଛି। ବର୍ତ୍ତମାନ ପରିସ୍ଥିତି ଯାହା, ନୂଆ ପିଆଜ ପାଇଁ ଆହୁରି ମାସେ ସମୟ ଲାଗିବ। ତେଣୁ ପିଆଜ ଦର ବୃଦ୍ଧି ପାଇଛି।

ରବିବାର ନାସିକରେ ପିଆଜ କୁଇଣ୍ଟାଲ ପିଛା ୫୦୦୦ଟଙ୍କାରୁ ୫୧୦୦ ଟଙ୍କାରେ ବିକ୍ରି ହୋଇଛି। ତେଣୁ ପରିବହନ ଖର୍ଚ୍ଚ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ସହ ଦର ବୃଦ୍ଧି ପାଇଛି। ପ୍ରଶାସନ ପକ୍ଷରୁ ଆମଦାନୀ ହେଉଥିବା ପିଆଜକୁ ରଖିବା ପାଇଁ ଅଧିକରୁ ଅଧିକ ଶୀତଳଭଣ୍ଡାରର ଆବଶ୍ୟକତା ରହିଛି ବୋଲି ସୁଧାକର କହିଛନ୍ତି।