ରାଜୌରୀ ଏନ୍‌କାଉଣ୍ଟରରେ ସେନା ଅଧିକାରୀ ସହିଦ୍‌, ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,ଏଜେନ୍ସି: ଜମ୍ମୁ କଶ୍ମୀରର ରାଜୌରୀରେ ଗୁରୁବାର ଆତଙ୍କବାଦୀଙ୍କ ଓ ସେନା ମଧ୍ୟରେ ଗୁଳି ବର୍ଷା ହୋଇଛି। ଏଥିରେ ସେନାର ଜଣେ ଜୁନିଅର କମିଣ୍ଡିଙ୍ଗ ଅଧିକାରୀ (ଜେସିଓ) ସହିଦ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛି।

ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ମଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ମିଳିଥିଲା। ଏହା ପରେ ସେନାର ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ, ଅଭିଯାନ ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବଳ ଉପରେ ଗୁଳି ବର୍ଷା କରିଥିଲେ। ଫଳରେ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଥିଲା।

ଜମ୍ମୁରେ ପ୍ରତିରକ୍ଷା ଜନସଂପର୍କ ଅଧିକାରୀ (ପିଆରଓ) ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ କହିଛନ୍ତି ଯେ, ଏନକାଉଣ୍ଟର ସମୟରେ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ ଜେସିଓଙ୍କୁ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗୁରୁତର ଥିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି। ଅଧିକାରୀ କହିଛନ୍ତି ଯେ, ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ଗତ ୬ ତାରିଖ ଦିନ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।