ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଜଣେ ଗିରଫ

ଜୟପୁର,ଏଜେନ୍ସି: ପାକିସ୍ତାନ ଗୁପ୍ତଚର ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ସିଆଇଡି। ଗିରଫ ବ୍ୟକ୍ତି ଜଣକ ହେଲେ ରାଜସ୍ଥାନ ଜୈସଲମେରର ସତ୍ୟନାରାୟଣ ପାଲିୱାଲ। ସେ ପାକିସ୍ତାନ ଇଣ୍ଟେଲିଜେନ୍ସ ସହିତ ଯୋଗାଯୋଗରେ ଥିବା ସ୍ୱୀକାର କରିଛନ୍ତି।

ପାକିସ୍ତାନର ଗୁପ୍ତଚର ଅଭିଯୋଗରେ ସିଆଇଡି ଶାଖାର ଏକ ସ୍ୱତନ୍ତ୍ର ଦଳ ସତ୍ୟନାରାୟଣ ପାଲିୱାରଙ୍କୁ ଗିରଫ କରିଥିବା ପ୍ରେସ ବିବୃତ୍ତିରେ ପ୍ରକାଶ କରିଛି ପୁଲିସ। ଭାରତୀୟ ସେନାର ବିଭିନ୍ନ ତଥ୍ୟ ସେ ପାକିସ୍ତାନ ପାଖରେ ପହଞ୍ଚାଉଥିବା କହିଛି ପୁଲିସ। ସତ୍ୟନାରାୟଣଙ୍କୁ ସରକାରୀ ଗୁପ୍ତଚର ଆଇନ ଅନୁଯାୟୀ ଜୟପୁରରୁ ଗିରଫ କରାଯାଇଛି।

ଗିରଫ ହେବା ପରେ ସେ ପାକିସ୍ତାନ ଇଣ୍ଟେଲିଜେନ୍ସ ସହିତ ଯୋଗାଯୋଗରେ ଥିବା ସହ ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନରେ ପହଞ୍ଚାଉଥିବା ସ୍ୱୀକାର କରିଛି ବୋଲି କହିଛି ରାଜସ୍ଥାନ ପୁଲିସ। ଏହା ପୂର୍ବରୁ ଗତ ନଭେମ୍ବର ମାସରେ ଜାମ୍ମୁ-କାଶ୍ମୀର ପୁଲିସ ସାମ୍ବା ଜିଲ୍ଲାର କୁଲଜିତ କୁମାର ନାମକ ବ୍ୟକ୍ତିକୁ ଗୁପ୍ତଚର ଅଭିଯୋଗରେ ଗିରଫ କରିଥିଲା।

ସୂଚନା ଅନୁସାରେ, କୁଲଜିତ୍ ସାମ୍ବାରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକର ଫଟୋ ଉଠାଇ ୨୦୧୮ରୁ ପାକିସ୍ତାନକୁ ପଠାଉଥିଲା। ଏଥିପାଇଁ ସେ ବହୁ ପରିମାଣର ଟଙ୍କା ପାଉଥିବାର ଅଭିଯୋଗ ହୋଇଥିଲା। ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ସୁରକ୍ଷା ଏଜେନ୍ସିମାନେ ସାମ୍ବା ପୁଲିସର ସହାୟତାରେ ଅଭିଯୁକ୍ତକୁ ଗିରଫ କରିଥିଲେ।