୩୮ ରାଷ୍ଟ୍ରକୁ ବ୍ୟାପିଛି ଓମିକ୍ରନ୍‌, କେହି ମରିନାହାନ୍ତି- ‘ହୁ’

ଜେନିଭା,ଏଜେନ୍ସି: କୋଭିଡ୍‌ର ଓମିକ୍ରନ୍ ଭାରିଆଣ୍ଟ୍ ଇତିମଧ୍ୟରେ ୩୮ଟି ରାଷ୍ଟ୍ରକୁ ବ୍ୟାପିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଏହି ଭାରିଆଣ୍ଟ୍‌ରେ କେହି ପ୍ରାଣ ହରାଇନାହାନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ପକ୍ଷରୁ କୁହାଯାଇଛି। ଆମେରିକା ଓ ଅଷ୍ଟ୍ରେଲିଆ ଏହି ତାଲିକାରେ ସଦ୍ୟ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାରୁ ଉତ୍ପତ୍ତିଲାଭ କରିଥିବା ଓମିକ୍ରନ୍ ଯୋଗୁଁ ସେଠାରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୩୦ ଲକ୍ଷ ଅତିକ୍ରମ କରିଛି ବୋଲି ‘ହୁ’ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ଓମିକ୍ରନ୍‌ର ସଂକ୍ରମଣ କ୍ଷମତା ନିର୍ଣ୍ଣୟ କରିବାକୁ ଆହୁରି କେତେ ସପ୍ତାହ ସମୟ ଲାଗିବ ବୋଲି ‘ହୁ’ କର୍ତ୍ତୃପକ୍ଷ ଶନିବାର ସ୍ପଷ୍ଟ କରିଛନ୍ତି। ଓମିକ୍ରନ୍‌କୁ ‘ଚିନ୍ତାଜନକ’ ଭାରିଆଣ୍ଟ୍ ବୋଲି ‘ହୁ’ ପକ୍ଷରୁ ଘୋଷଣା କରାଯାଇସାରିଛି। ତେବେ ଏହାର ମାରକ କ୍ଷମତା, ଏଥିପାଇଁ କେଉଁ ଟିକା ଫଳପ୍ରଦ ହେବ, ସେ ସମ୍ପର୍କରେ ସମସ୍ତ ସୂଚନା ମିଳିବାକୁ ଅଧିକ ସମୟ ଲାଗିବ ବୋଲି ‘ହୁ’ର ଜରୁରିକାଳୀନ ନିର୍ଦ୍ଦେଶକ ମାଇକେଲ ରିୟାନ୍ କହିଛନ୍ତି।