ଭାରତୀୟ ଅଲିମ୍ପିକ୍‌ ଦଳର ଗୀତ ଉନ୍ମୋଚିତ

ନୂଆଦିଲ୍ଲୀ,ଏଜେନ୍ସି: ଟୋକିଓ ଅଲିମ୍ପିକରେ ଭାରତରୁ ୧୮ଟି କ୍ରୀଡ଼ାରେ ମୋଟ ୧୧୯ ଜଣ କ୍ରୀଡ଼ାବିତ୍‌ ଭାଗ ନେବାକୁ ଯାଉଛନ୍ତି। ସେମାନଙ୍କୁ ଉତ୍ସାହିତ କରିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଏକ ଗୀତକୁ ଉନ୍ମୋଚନ କରିଛନ୍ତି। ଏହାସହ ଏହି ଗୀତ ଶୁଣି ଟୋକିଓ ଯାଉଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଖୋଲା ହୃଦୟରେ ସମର୍ଥନ ଓ ଉତ୍ସାହ ଦେବା ପାଇଁ ଠାକୁର ଆହ୍ୱାନ ଜଣାଇଛନ୍ତି। ଗ୍ରାମୀ ପୁରସ୍କାର ବିଜେତା ଏଆର୍ ରେହମାନ ଏହି ଗୀତର ସ୍ୱର ସଂଯୋଜନା କରିଥିବା ବେଳେ ରେହମାନ ଓ ଅନନ୍ୟା ବିର୍ଲା ଏଥିରେ କଣ୍ଠଦାନ କରିଛନ୍ତି।

ଏହି ଗୀତର ଶୀର୍ଷକ ରଖାଯାଇଛି ‘ଚିଅର୍ ଫର୍ ଇଣ୍ଡିଆ: ହିନ୍ଦୁସ୍ତାନୀ ୱେ’। ଏହି ଗୀତ ଜରିଆରେ ଭାରତବାସୀ ବାର୍ତ୍ତା ଦେବେ ଯେ ସେମାନେ ଆମ କ୍ରୀଡ଼ାବିତଙ୍କ ପଛରେ ରହିଛନ୍ତି। ଏପରି ସମୟରେ ଭାରତୀୟ କ୍ରୀଡ଼ାବିତଙ୍କ ଲାଗି ଗୀତ ପ୍ରସ୍ତୁତ କରିଥିବାରୁ ଏଆର୍ ରେହମାନ ଓ ଅନନ୍ୟା ବିର୍ଲାଙ୍କୁ ମନ୍ତ୍ରୀ ଅନୁରାଗ ଠାକୁର ଧନ୍ୟବାଦ ଜଣାଇଛନ୍ତି। ଏହି ଉତ୍ସବରେ ମନ୍ତ୍ରୀ ଠାକୁରଙ୍କ ସହ କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ, କେନ୍ଦ୍ର କ୍ରୀଡ଼ା ସଚିବ ରବି ମିତ୍ତଲ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ମହାନିର୍ଦେଶକ ସନ୍ଦୀପ ପ୍ରଧାନ, ଭାରତୀୟ ଅଲିମ୍ପିକ୍‌ ସଂଘର ସଭାପତି ନରିନ୍ଦର ବତ୍ରା ଓ ସମ୍ପାଦକ ରାଜୀବ ମେହେଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ।