ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆରପାରିରେ ଜଣାଶୁଣା କାର୍ଟୁନିଷ୍ଟ କିଶୋର ରଥ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୮ ବର୍ଷ ହୋଇଥିଲା। ହୃଦ୍‌ଘାତ ତାଙ୍କର ପରଲୋକ ହୋଇଯାଇଛି। ଏନେଇ ତାଙ୍କ ପୁଅ ଦେବଦଳନ ରଥ ସୂଚନା ଦେଇଛନ୍ତି।

ଦୈନିକ ଖବର କାଗଜ ‘ସମ୍ବାଦ’ରେ ‘କଟାକ୍ଷ’ ଓ ‘ସ୍ପୋର୍ଟାକ୍ଷ’ କାର୍ଟୁନ ଲାଗି କିଶୋର ରଥ ଘରେ ଘରେ ପରିଚିତ ଥିଲେ। ସୂଚନା ଅନୁଯାୟୀ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ଗତକାଲି ରାତିରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ନିଆଯାଇଥିଲା। ଇସିଜି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଢୁମ୍ପୀ ସଙ୍ଗୀତର ପ୍ରଚାର ପ୍ରସାରରେ ମଧ୍ୟ ତାଙ୍କର ଭୂମିକା ରହିଛି।

ବିଶିଷ୍ଟ ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିଶୋରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସମାଜର ବିଭିନ୍ନ ପ୍ରସଙ୍ଗକୁ ବ୍ୟଙ୍ଗ ଚିତ୍ର ମାଧ୍ୟମରେ ଉପସ୍ଥାପନ କରିବାର ନିଜ ସ୍ୱତନ୍ତ୍ର ଶୈଳୀ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ।