କ୍ୟାପିଟାଲ ହସ୍‌ପିଟାଲରେ ଉଦଘାଟନ ହେଲା ଓଡ଼ିଶାର ପ୍ରଥମ ମାନବ କ୍ଷୀର ସଂରକ୍ଷଣ ବ୍ୟାଙ୍କ୍‌

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାରେ ପ୍ରଥମ ଥର ପାଇଁ ମାତୃକ୍ଷୀରକୁ ସଂରକ୍ଷଣ କରାଯିବା ବ୍ୟବସ୍ଥା କ୍ୟାପିଟାଲ ହସ୍‌ପିଟାଲ୍‌ରେ ଆରମ୍ଭ ହୋଇଛି। କ୍ୟାପିଟାଲ୍ ହସ୍ପିଟାଲ୍ ଏହାର ଶିଶୁ ବିଭାଗରେ ଏକ ମାନବ ଦୁଗ୍ଧ ବ୍ୟାଙ୍କ୍ ଉଦଘାଟନ ହୋଇଛି। ଏହା ହେଉଛି ଦେଶର ୩୪ ତମ ସ୍ଥାନ ଯେଉଁଠି ଏପରି ସୁବିଧା ଉପଲବ୍ଧ କରାଯିବ। ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍‌ଏଚ୍‌ଏମ୍‌)ଙ୍କ ଏହି ପଦକ୍ଷେପ ସାରା ରାଜ୍ୟରେ ଅନେକ ନବଜାତ ଶିଶୁର ଆବଶ୍ୟକତାକୁ ପୂରଣ କରିବ ବୋଲି ଡାକ୍ତରଖାନା ସୂତ୍ରରୁ କୁହାଯାଇଛି।

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡ. ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ ଏହି ସୁବିଧା ମାତୃ କ୍ଷୀର ସଂରକ୍ଷଣ କରିବ, ଆବଶ୍ୟକ ସ୍ଥଳେ ରାଜ୍ୟର ଡାକ୍ତରଖାନାଗୁଡ଼ିକୁ ଯୋଗାଇ ଦିଆଯିବ। “ଅନେକ ମା’ ସେମାନଙ୍କର ଖରାପ ସ୍ୱାସ୍ଥ୍ୟ ଏବଂ ପ୍ରସବ ସମ୍ବନ୍ଧୀୟ ସମସ୍ୟା ସମେତ ବିଭିନ୍ନ କାରଣରୁ ପ୍ରାରମ୍ଭିକ କିଛି ସପ୍ତାହ ପାଇଁ ନବଜାତ ଶିଶୁକୁ ସ୍ତନ୍ୟପାନ କରାଇବାରେ ବିଫଳ ହୁଅନ୍ତି। ଏପରି ପରିସ୍ଥିତିରେ ନବଜାତ ଶିଶୁ ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାଏ। ଏହି ମାନବ କ୍ଷୀର ବ୍ୟାଙ୍କ ଏଭଳି ମାଆମାନଙ୍କ ପାଇଁ ଏକ ବଡ଼ ସାହାଯ୍ୟ ଭାବରେ ଆସିବ ବୋଲି ଅଧିକାରୀ କହିଛନ୍ତି।

ଯେଉଁ ମା’ମାନଙ୍କର ଅଧିକ କ୍ଷୀର ଅଛି, ସେମାନେ ଏହି କ୍ଷୀରକୁ ଏହି ବ୍ୟାଙ୍କକୁ ଦାନ କରିପାରିବେ ବୋଲି ସେ କହିଛନ୍ତି। ଉଦ୍‌ଘାଟନୀ ଦିବସରେ ଦୁଇ ମାଆ ସେମାନଙ୍କର କ୍ଷୀରକୁ ସୁବିଧା ପାଇଁ ଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏବଂ ଡାକ୍ତରଖାନାର ଡେପୁଟି ସୁପରିଟେଣ୍ଡେଣ୍ଟ ଡ. ଧନଞ୍ଜୟ ଦାସ ଉପସ୍ଥିତ ଥିଲେ।