ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେପି, ମଇଦାନକୁ ଓଲ୍ଲାଇବେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୌର ନିର୍ବାଚନ ପାଇଁ ଓଡ଼ିଶା ବିଜେପି ପକ୍ଷରୁ ତାରକା ନିର୍ବାଚନୀ ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଚଳିତ ସହରାଞ୍ଚଳ ନିର୍ବାଚନରେ ପ୍ରଚାର ମଇଦାନକୁ ଓଲ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର।

ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ପଛରେ ପଡିଯାଇଥିବା ବିଜେପି ପୌର ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ରାଜ୍ୟର ତୁଙ୍ଗ ନେତାମାନେ ପୌର ନିର୍ବାଚନରେ ଜିଲ୍ଲା ଜିଲ୍ଲା ବୁଲି ପ୍ରଚାର କରିବେ, ଏନେଇ ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ। ଚଳିତ ମାସ ୭ ତାରିଖରେ ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି। ମାର୍ଚ୍ଚ ୨୪ ତାରିଖରେ ୩ଟି ମହାନଗର ନିଗମ ଏବଂ ୧୦୬ଟି ମ୍ୟୁନିସିପାଲିଟି/ଏନସିରେ ନିର୍ବାଚନ ଅନୁଷ୍ଠିତ ହେବ।

ଗତ ମାସରେ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ରାଜ୍ୟ ବିଜେପି ବହୁତ ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା। ଶାସକ ବିଜେଡି ୮୫୧ ଜିଲ୍ଲା ପରିଷଦ ଜୋନ୍‌ରୁ ୭୬୫ଟିରେ ବିଜୟ ଲାଭ କରିଥିଲା। ବିଜେପିକୁ ୪୨ଟି ଏବଂ କଂଗ୍ରେସକୁ ମାତ୍ର ୩୭ଟି ସିଟ୍ ମିଳିଥିଲା ବେଳେ ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ଟି ଏବଂ ଅନ୍ୟାନ୍ୟ ଦଳ ୪ଟି ଆସନରେ ବିଜୟୀ ହୋଇଥିଲେ।