ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ରାଜ୍ୟ ପାନୀୟ ନିଗମର ୫ କୋଟି ଦାନ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ କୋଟି ଦାନ। ରାଜ୍ୟ ପାନୀୟ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ପ୍ରଦାନ। ଲାଭାଂଶ ବାବଦରେ ମଧ୍ୟ ସରକାରଙ୍କୁ ୨୬.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

ଓଡ଼ିଶା ରାଜ୍ୟ ପାନୀୟ ନିଗମ ତରଫରୁ ଆଜି(ବୁଧବାର) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ଲୋକସେବା ଭବନ ଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଚେକ୍ ନିଗମର ଅଧ୍ୟକ୍ଷ ସୁଶୀଲ କୁମାର ଲୋହାନୀଙ୍କ ଠାରୁ ଗ୍ରହଣ କରିଛନ୍ତି।

ଲୋହାନୀଙ୍କ ସୂଚନା ଅନୁସାରେ, ଚଳିତ ୨୦୨୧-୨୨ ଆର୍ଥିକ ବର୍ଷ ଜୁନ୍ ମାସରେ ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆଜି ପ୍ରଦାଶ କରାଯାଇଥିବା ଅର୍ଥ ରାଶିକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ, ସମୁଦାୟ ୧୦ କୋଟି ଟଙ୍କା ନିଗମ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରାଯାଇଛି।

ଏହି ଅବସରରେ ନିଗମ ତରଫରୁ ୨୦୨୦-୨୧ ଆର୍ଥିକ ବର୍ଷର ଡିଭିଡେଣ୍ଟ ବାବଦରେ ୬ କୋଟି ୨୬ ଲକ୍ଷ ୩୨୦ ହଜାର ୮୮ ଟଙ୍କାର ଚେକ୍ ମଧ୍ୟ ଲୋହାନୀ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ସରକାରଙ୍କୁ ପ୍ରଦାନ କରିଥିଲେ।