ପ୍ରୋ ପଞ୍ଝା ଲିଗ୍‌ ପାଇଁ ପ୍ରସ୍ତୁତ ଟିମ୍‌ ଓଡ଼ିଶା, ଜୋରଦାର ଅଭ୍ୟାସ କରୁଛନ୍ତି ବାହୁବଳୀ

କଟକ,ଏନ୍ଏନ୍ଏସ୍: ପ୍ରଥମ ଥର ପାଇଁ ପ୍ରୋ ପଞ୍ଝା ଲିଗ୍‌ରେ ଭାଗ ନେବ ଟିମ୍‌ ଓଡ଼ିଶା । ସାରା ଦେଶ ଦେଖିବ ବାହୁକୁସ୍ତି ଖେଳରେ ଓଡ଼ିଶା ବାହୁବଳୀଙ୍କ ଦମ୍‌ । ଏଥିପାଇଁ ଓଡ଼ିଶାର ୧୮ ଜଣିଆ ଦଳ ଚୟନ ହୋଇଛି । ସେମାନଙ୍କ ମଧ୍ୟରେ କେବଳ କଟକର ୧୪ ଜଣ ସାମିଲ ରହିଛନ୍ତି ।

ଏହି ଖେଳାଳୀଙ୍କର ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଅନେକ ନାଁ କରିଛନ୍ତି । ଏଣୁ ଲିଗ୍‌ରେ ସେମାନଙ୍କ ଠାରୁ ପଦକ ଆଶା କରାଯାଉଛି । ଜୁଲାଇ ୨୨ ତାରିଖରୁ ମଧ୍ୟ ପ୍ରଦେଶ ଗ୍ବାଲିୟରର ଲକ୍ଷ୍ମୀବାଇ ଜାତୀୟ ଶାରୀରିକ ଶିକ୍ଷାନୁଷ୍ଠାନରେ ପ୍ରୋ ପଞ୍ଜା ଲିଗ୍‌ ୨୦୨୨ ଆରମ୍ଭ ହେବ । ଏଥିରେ ସାରା ଦେଶରୁ ୧୧୦୦ ଖେଳାଳୀ ଭାଗ ନେଇ ନିଜ ବାହୁବଳ ଦେଖାଇବେ । ତେବେ ଓଡ଼ିଶା ଦଳରେ ସାମିଲ ଥିବା କଟକର ୧୪ ଖେଳାଳୀଙ୍କ ଉପରେ ସମସ୍ତଙ୍କର ନଜର ରହିବ ।

ଏହି ଲିଗ୍‌ର ବିଭିନ୍ନ ବର୍ଗରେ ପ୍ରଥମେ ୧୮ ଜଣ ଲେଖାଏଁ ଖେଳାଳୀଙ୍କୁ ଚୟନ କରାଯିବ । ଏହାପରେ ସେମାନଙ୍କୁ ନେଇ ଆସନ୍ତା ଅକ୍ଟୋବର ମାସରେ ଫାଇନାଲ୍‌ ରାଉଣ୍ଡ ଖେଳାଯିବ । ଆଇପିଏଲ୍‌ ଢାଞ୍ଚାରେ ମଧ୍ୟ ଏହି ଲିଗ୍ ଆୟୋଜନ ହେବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁ ମାଲିକ ପ୍ରୋ କବାଡ଼ି ଲିଗ୍‌ ଆୟୋଜନ କରୁଛନ୍ତି ସେ ହିଁ ପ୍ରୋ ପଞ୍ଝା ଲିଗ୍‌ର ଦାୟିତ୍ବ ନେଇଛନ୍ତି । ଏହାଦ୍ବାରା ନୂଆ ପ୍ରତିଭା ସାମ୍ନାକୁ ଆସି ପାରିବେ ।

ଲିଗ୍‌ ପାଇଁ ଓଡ଼ିଶା ଖେଳାଳୀ ଦିନକୁ ୪ ଘଣ୍ଟାରୁ ଅଧିକ ସମୟ ଜିମ୍‌ରେ ବିତାଉଛନ୍ତି । ଓଡ଼ିଶା ଦଳର ଅଧିନାୟକ ଦାୟିତ୍ବ ନେଇଛନ୍ତି ଚନ୍ଦନ ବେହେରା । କଟକର କଳିଙ୍ଗ ଓ ଲାୟନ୍ସ ଜିମ୍‌ରେ ଅଭ୍ୟାସ କରୁଛନ୍ତି ଖେଳାଳୀ । ଓଡ଼ିଶା ଦଳ ଲିଗ୍‌ରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ଟେକ୍ନିକ୍‌ ଓ ବଳର ଖେଳ ହେଉଛି ପଞ୍ଝା କୁସ୍ତି । ଏଥିପାଇଁ ସମସ୍ତ ପ୍ରକାର ପ୍ରଶିକ୍ଷଣ ଦିଆଯାଉଛି । ଏହି ଲିଗ୍‌ରେ ସବୁ ଖେଳାଳୀଙ୍କୁ ମାନ୍ୟତା ମିଳିବ । ଏହାପରେ ପ୍ରତ୍ୟେକ ବର୍ଷ ଏହି ଲିଗ୍‌ ଆୟୋଜନ ହେବ । ତେବେ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି ରାଜ୍ୟ ପଞ୍ଝା କୁସ୍ତି ସଂଘ । ଖେଳାଳୀ ମଧ୍ୟ ଏହି ଲିଗ୍‌କୁ ନେଇ ଉତ୍ସାହିତ ରହିଥିବା ଦେଖା ଯାଇଛି ।