ଚାଷୀଙ୍କୁ ବିଲରେ ଦଳିଲା ଦନ୍ତା ହାତୀ

ପରଜଙ୍ଗ,ଏନ୍ଏନ୍ଏସ୍: ଢେଙ୍କାନାଳ ଜିଲ୍ଲାରେ କିଛି ଦିନ ହେବ ହାତୀମାନେ ମଣିଷମାରି ଲୋକଙ୍କ ମନରୁ ନିଦ ହଜାଇ ଦେଇଥିବା ବେଳେ ହାତୀ ଉପଦ୍ରବ ଏବେ ଢେଙ୍କାନାଳ ବନଖଣ୍ଡର ମହାବିରୋଡ ରେଞ୍ଜରେ କୋକୁଆ ଭୟ ସୃଷ୍ଟି କରିିଛି। ଡିହଡ଼ୋଳ ଫରେଷ୍ଟ ସେକ୍ସନରେ ଲଗାତାର ଭାବେ ହାତୀ ଆକ୍ରମଣରେ ଚାଷୀ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଗତ ଏକମାସ ମଧ୍ୟରେ ଡିହଡ଼ୋଳ ଫରେଷ୍ଟ ସେକ୍ସନ ଅଞ୍ଚଳରେ ହାତୀ ଆକ୍ରମଣରେ ବିଲରେ ଚାଷୀ ମୃତ୍ୟୁ ଘଟୁଥିବାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଡିହଡ଼ୋଳ ଫରେଷ୍ଟ ସେକ୍ସନର ସାଆନ୍ଦା ଫାଣ୍ଡିର ରେଣ୍ଡାପାଟ ଗ୍ରାମ ପଞ୍ଚାୟତର ପାଣିଗେଙ୍ଗୁଟିଆ ଗ୍ରାମରେ।

ଗ୍ରାମର ଫକୀର ଭୋଇ ନିଜ ଧାନ ବିଲରେ ନଡ଼ା ଭିଡୁଥିବା ବେଳେ ହଠାତ୍ ଏକ ଦନ୍ତାହାତୀ ବିଲ ମଧ୍ୟକୁ ଚାଲିଆସି ଫକୀରଙ୍କୁ ଶୁଣ୍ଢରେ କଚାଡ଼ି ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ଫକୀରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଖପାଖ ବିଲରେ କାର୍ଯ୍ୟ କରୁଥିବା ଅନ୍ୟଚାଷୀମାନେ ଏହାକୁ ଦେଖି ଭୟଭୀତ ଭାବେ ଇତଃସ୍ତତ ହୋଇ ଚିତ୍କାର କରି ଦୌଡ଼ି ଚାଲିଯାଇଥିଲେ। ହାତୀଟି ଚାଷୀକୁ ମାରିବା ପରେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ପଳାଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଏ ସମ୍ପର୍କରେ ବନବିଭାଗକୁ ସୂଚନା ଦେବାସହ ପୁଲିସକୁ ମଧ୍ୟ ସୂଚନା ଦେଇଥିଲେ। ସୂଚନାପାଇ ପୁଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି। ହାତୀ ଆକ୍ରମଣକୁ ନେଇ ଚାଷୀ ମହଲରେ ଏକ ଭୟର ବାତାବରଣ ଖେଳିଯାଇଛି। ତୁରନ୍ତ ବନବିଭାଗ ହାତୀଙ୍କ ଗତିବିଧି ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସୂଚନା ଦେବାସହ ହାତୀ ଦାଉରୁ ଚାଷୀକୁଳକୁ ରକ୍ଷା କରିବାପାଇଁ ପରଜଙ୍ଗ ଚାଷୀ ମହଲରୁ ଦୃଢ଼ ଦାବି ହୋଇଛି।