କଟକ,ଏନ୍ଏନ୍ଏସ୍: ଚଳିତ ଓଡିଶା ଓପନ ୨୦୨୨ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଷ୍ଟାର ସର୍ଟଲର ମାଳବିକା ବଂଶଦଙ୍କ ଦମଦାର ପ୍ରଦର୍ଶନ ଜାରି । ଗୁରୁବାର ମହିଳା ଏକକ କ୍ବାର୍ଟର-ଫାଇନାଲରେ ପ୍ରବେଶ କରଛନ୍ତି ମାଳବିକା। ୨୦ ବର୍ଷୀୟା ମାଳବିକା, ଜୁନିଅର ବିଶ୍ବ ନମ୍ବର ୧ ତସନିମ ମୀରଙ୍କୁ ୨୧-୧୩, ୨୧-୧୫ ସିଧାସଳଖ ସେଟ୍ରେ ହରାଇ କ୍ବାର୍ଟର ଟିକେଟ ହାତେଇଛନ୍ତି। ଏହି ମୁକାବିଲା ୩୩ ମିନିଟ୍ ଧରି ଖେଳାଯାଇଥିଲା। ଶୁକ୍ରବାର କ୍ବାର୍ଟର-ଫାଇନାଲ ମ୍ୟାଚ୍ରେ ସେ ୧୮ ବର୍ଷୀୟା ତନୟା ହେମନ୍ତଙ୍କୁ ଭେଟିବେ।
ଅନ୍ୟପଟେ ଟୁର୍ନାମେଣ୍ଟର ଅନ୍ୟତମ ଟାଇଟେଲ ଦାବିଦାର ଅସ୍ମିତା ମଧ୍ୟ ଅନୁପମା ଉପାଧ୍ୟାୟଙ୍କୁ ରାଉଣ୍ଡ ୧୬ ମ୍ୟାଚ୍ରେ ୨୧-୧୭, ୨୧-୧୬ରେ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ମାଳବିକା ଓ ଅସ୍ମିତାଙ୍କ ବିଶ୍ବ ମାନ୍ୟତା ଯଥାକ୍ରମେ ୬୭ ଓ ୬୯ ରହିଛି। ଫଳରେ ଅଲମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ଅନୁପସ୍ଥିତିରେ ଚଳିତ ଓଡିଶା ଓପନ ସୁପର ୧୦୦ ଇଭେଣ୍ଟରେ ଶୀର୍ଷ ମାନତାଥିବା ମହିଳା ଖେଳାଳି ରହିଛନ୍ତି ମାଳବିକା ଓ ଅସ୍ମିତା।
ସେହିପରି ପୁରୁଷ ଏକକ ବର୍ଗରେ ଶୁଭଙ୍କର ଦେ ୨୧-୧୬, ୨୧-୧୪ରେ ରାହୁଲ ଯାଦବଙ୍କୁ ହରାଇଛନ୍ତି। କ୍ବାର୍ଟର-ଫାଇନାଲରେ ୨୧-୧୨, ୨୧-୧୨ ସେଟ୍ରେ ଚିରାଗ ସେନଙ୍କୁ ହରାଇଥିବା କିରନ ଜର୍ଜଙ୍କୁ ଭେଟିବେ ଶୁଭଙ୍କର। ପୁରୁଷ ଏକକ ବର୍ଗର ଅନ୍ୟଏକ ମ୍ୟାଚ୍ରେ ମିଥୁନ ମଞ୍ଜୁନାଥ ମାଲେସିୟାର ଚିଂମ ଜୁନ ୱେଇଙ୍କୁ ୨୧-୧୧, ୨୧-୧୮ରେ ହରାଇଛନ୍ତି। ଫଳରେ ଶୁକ୍ରବାର ଗତବର୍ଷ ୟୁକ୍ରେନ ଇଣ୍ଟରନ୍ୟାସନାଲର ବିଜେତା ପ୍ରିୟାଂଶୁ ରାଜୱାତଙ୍କୁ ଭେଟିବେ ମଞ୍ଜୁନାଥ।
ମିଶ୍ରିତ ଯୁଗଳ ଇଭେଣ୍ଟରେ ଏମଆର ଅର୍ଜୁନ ଓ ତ୍ରୀଷା ଜୋଲି ୨୧-୧୮, ୨୧-୫ରେ ରାଜୁ ମହମ୍ମଦ ରେହାନ ଓ ଜାମୁଲୁଦିନ ଅନିସ କୱସରଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି। ବିଜେତା ଯୋଡି ପରବର୍ତ୍ତୀ ମୁକାବିଲାରେ ନଜିର ଅବୁ ବକର ଓ ନିଲା ଭଲୁବନଙ୍କୁ ଭେଟିବେ।