ଗଛ କାଟିବାରେ ଓଡ଼ିଶା ଦେଶରେ ୭ମ, ୨୦ ବର୍ଷରେ ଜଙ୍ଗଲ କ୍ଷୟ ୯.୮%

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଗଛ କାଟିବାରେ ଓଡ଼ିଶା ଦେଶରେ ୭ମ। ୨୦ ବର୍ଷରେ ଜଙ୍ଗଲ କ୍ଷୟ ୯.୮ ପ୍ରତିଶତ। ଜଙ୍ଗଲରେ ନିଆଁ ଲାଗିବା, ଭିତ୍ତିଭୂମି ବିକାଶ ଓ ଖଣି ଖନନ ଆଳରେ ଜଙ୍ଗଲ ନଷ୍ଟ ଭଳି ମନୁଷ୍ୟକୃତ କାରଣ ଏଥିପାଇଁ ଦାୟୀ। ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ବିଶ୍ୱସ୍ତରୀୟ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି। ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଉଛି। ଜାତିସଂଘ ଜରିଆରେ ଏନେଇ ଚୁକ୍ତିନାମା ସ୍ୱାକ୍ଷରିତ ହେଉଛି।

ବ୍ୟାପକ ବୃକ୍ଷରୋପଣ ସହିତ ଅଧ୍ୟୟନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ହେଲେ ସମଗ୍ର ବିଶ୍ୱରେ ଜଙ୍ଗଲ ପରିମାଣ ବଢ଼ିବା ପରିବର୍ତ୍ତେ କମି କମି ଚାଲିଛି। ଗଛ କାଟିବା ବନ୍ଦ ହେଉନାହିଁ। ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ବିକାଶଶୀଳ ଦେଶଗୁଡ଼ିକ ବେଫିକର। ଏନେଇ ଆମେରିକାର ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟ ଏକ ନିୟୁତରୁ ଅଧିକ ଉପଗ୍ରହ ଚିତ୍ର ଅଧ୍ୟୟନ କରି ରିପୋର୍ଟ ପ୍ରକାଶ କରିବା ପରେ ଅସଲ ଚିତ୍ର ପଦାକୁ ଆସିଛି। ରିପୋର୍ଟ ଅନୁସାରେ ଜଙ୍ଗଲ କ୍ଷୟରେ ଭାରତରେ ୧୦ଟି ରାଜ୍ୟ ପ୍ରମୁଖ ସ୍ଥାନରେ ରହିଛନ୍ତି। ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମିଜୋରାମ, ପଶ୍ଚିମବଙ୍ଗ, କେରଳ, ଛତିଶଗଡ଼ ଏବଂ ଓଡ଼ିଶା ରହିଛି। ଓଡିଶା ସପ୍ତମ, କେରଳ ନବମ ଓ ଛତିଶଗଡ଼ ଦଶମରେ ରହିଛି। ଓଡ଼ିଶା ସପ୍ତମ ସ୍ଥାନରେ ରହିବାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି।

୨୦୦୧ ରୁ ୨୦୨୦ ମଧ୍ୟରେ ଭାରତର ଏହି ପ୍ରମୁଖ ରାଜ୍ୟରେ ୨୦ ଲକ୍ଷ ହେକ୍ଟରରୁ ଅଧିକ ଜମିରୁ ଗଛ କଟା ଯାଇଛି। ୨୦୦୦ ପରଠାରୁ ଗଛ ଲଗାଯାଇଥିବା ଜମିର ପ୍ରାୟ ୫ ପ୍ରତିଶତ ହ୍ରାସପାଇଛି। ଏହି ତିନି ଚତୁର୍ଥାଂଶ କ୍ଷତିର ପରିମାଣ ଭାରତର ଉତ୍ତର-ପୂର୍ବ ସାତୋଟି ରାଜ୍ୟରେ ହିଁ ଦେଖାଯାଇଛି। ଗତ ଦୁଇ ଦଶନ୍ଧିରେ ୧.୯୩ ମେଗା ହେକ୍ଟର ଜମି ଗଛ ଦ୍ୱାରା ଆଚ୍ଛାଦିତ ହୋଇଥିବାବେଳେ ଏହାର ୭୬.୭ ପ୍ରତିଶତ ଉତ୍ତର-ପୂର୍ବ ରାଜ୍ୟରେ ରହିିଥିଲା। ଗତ ୨୦ ବର୍ଷରେ ସର୍ବାଧିକ ବୃକ୍ଷ ନଷ୍ଟ ହେବା କାରଣରୁ ଜଙ୍ଗଲ ପରିମାଣ କମିବାରେ ଲାଗିଛି।

ଅଧ୍ୟୟନ ଅନୁଯାୟୀ, ଆସାମରେ ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ ୧୪.୧% ଜଙ୍ଗଲ କ୍ଷୟ ହୋଇଛି। ୨୦୦୧ ରୁ ୨୦୨୦ ମଧ୍ୟରେ ମିଜୋରାମରେ ୨୪୭ ହଜାର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ସର୍ବ ଭାରତୀୟ ସ୍ତରରେ ତାହା ସମୁଦାୟ ଜଙ୍ଗଲର ୧୩ ପ୍ରତିଶତ। ସେହିପରି ନାଗାଲାଣ୍ଡରେ ଜଙ୍ଗଲ କ୍ଷୟ ପରିମାଣ ୧୧.୯ ପ୍ରତିଶତ ଥିବାବେଳେ ଅରୁଣାଚଳରେ ଏହା ୧୧.୬ ପ୍ରତିଶତ। ପଶ୍ଚିମବଙ୍ଗରେ ସାଢ଼େ ୧୦ ପ୍ରତିଶତ ଜଙ୍ଗଲ କ୍ଷୟ ହୋଇଥିଲାବେଳେ ଓଡ଼ିଶାରେ ତାର ପରିମାଣ ୯.୮ ପ୍ରତିଶତ। ଅନ୍ୟପକ୍ଷରେ ଭାରତ ସରକାରଙ୍କ ରିପୋର୍ଟ ଅନୁସାରେ ଓଡ଼ିଶାରେ ୪୮,୮୫୫ ବର୍ଗ କିଲୋମିଟର ଅଞ୍ଚଳ ଜଙ୍ଗଲରେ ଆଚ୍ଛାଦିତ ରହିଛି। ଏଥିରୁ ୭,୦୭୩ ବର୍ଗ କିଲୋମିଟର ଅଞ୍ଚଳ ଘଞ୍ଚ ଜଙ୍ଗଲ, ୨୧,୩୯୪ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟମ ଧରଣର ଜଙ୍ଗଲ ଏବଂ ୨୦,୩୮୮ ବର୍ଗ କିଲୋମିଟର ଅଞ୍ଚଳ ଖୋଲା ଜଙ୍ଗଲ ରହିଛି।