ଭୁବନେଶ୍ୱର,ଏନ୍ଏନ୍ଏସ୍: ମାଟି ତଳୁ ମିଳିଛି ମନ୍ଦିର ଢାଞ୍ଚା। ମାଟି ଗର୍ଭରେ ପୋତି ହୋଇରହିଛି ହଜାର ହଜାର ବର୍ଷର କୀର୍ତ୍ତିରାଜି। ଏକାମ୍ର ଐତିହ୍ୟ ପ୍ରକଳ୍ପ ଅଧୀନରେ ଲିଙ୍ଗରାଜ ମନ୍ଦିର ପାଖରେ ପୁନଃଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ପ୍ରାଚୀନ ଶୁକସାରୀ ମନ୍ଦିର ପରିସରରୁ ଏକ ମନ୍ଦିରର କିଛି ଅଂଶମିଳିଛି। ସାରୀ ମନ୍ଦିରର ଉତ୍ତରପୂର୍ବ ଦିଗରୁ ଏହି ଅଂଶବିଶେଷ ଉଦ୍ଧାର କରାଯାଇଛି। କୌଣସି ମନ୍ଦିରର ଏହା ମୂଳଦୁଆ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍ଆଇ) ପକ୍ଷରୁ ସୂଚନା ମିଳିଛି।
ବିନ୍ଦୁସାଗର ପର୍ଯ୍ୟନ୍ତ ଅନେକ ପୁରାତନ ମନ୍ଦିର ଓ ଏହାର ଅଂଶବିଶେଷ ମାଟି ତଳେ ରହିଥିବା ଆଶଙ୍କା କରାଯାଉଛି। କାଳକ୍ରମେ ଏହି ମନ୍ଦିର ଉପରେ ଜନବସତି ଗଢ଼ିଉଠିଥିବା ବେଳେ ଉଚ୍ଛେଦ ପ୍ରକ୍ରିୟାରେ ଅନେକ ମୂର୍ତ୍ତି, ମନ୍ଦିର, ମୂଲ୍ୟବାନ ପଥର ଆଦି ଉଦ୍ଧାର କରାଯିବା ଆଶା କରାଯାଉଛି। ଅନ୍ୟପଟେ କିପରି ନିଖୁଣ ଭାବେ ଏହି ଅଂଶବିଶେଷ ଉଦ୍ଧାର କରାଯିବ ସେନେଇ ଗୁରୁତ୍ୱ ଦିଆଯାଉଛି। କେତେ ପରିମିତ ଅଞ୍ଚଳରେ ଏହି ମନ୍ଦିର ରହିଛି ଏବଂ କେଉଁ ଶତାବ୍ଦୀରେ ମନ୍ଦିର ନିର୍ମାଣ ହୋଇଛି ଏପରି ତମାମ ତଥ୍ୟ ଖନନ ପ୍ରକ୍ରିୟା ସମାପ୍ତ ହେବା ପରେ ଜଣାପଡ଼ିବ ବୋଲି କୁହାଯାଉଛି।
ସୂଚନା ଥାଉ କି, ଚଳିତ ବର୍ଷ ଜାନୁଆରୀରେ ଏକାମ୍ର ବିକାଶ କାର୍ଯ୍ୟକ୍ରମରେ ଶୁକସାରୀ ମନ୍ଦିରର ଚତୁଃପାର୍ଶ୍ବ ଖନନ କରାଯାଇଥିଲା। ଖନନ ସମୟରେ ଅନେକ ମୂଲ୍ୟବାନ ପଥର ସମେତ ମୂର୍ତ୍ତି ଉଦ୍ଧାର ହୋଇଥିଲା। ତେବେ ଏଠାରେ ଗଢ଼ିଉଠିଥିବା ଏକ ସଂସ୍କୃତ ମହାବିଦ୍ୟାଳୟ ଉଚ୍ଛେଦ ପରେ ଏହି ସବୁ ପୁରାତନ କୀର୍ତ୍ତିରାଜିର ଅଂଶବିଶେଷ ଉଦ୍ଧାର କରାଯାଇଥିଲା। ତେବେ ଗତ ମାର୍ଚ୍ଚ ମାସ ଠାରୁ ଖନନ କାର୍ଯ୍ୟ ବନ୍ଦ ରହିଥିଲା। ମଙ୍ଗଳବାର ଏହି ଖନନ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଥିଲା।