ଅଗଷ୍ଟ ୧୫ରୁ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ। ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର। ପୂର୍ବରୁ ୭୧ ଲକ୍ଷ ୬୯ ହଜାର ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିଲା। ଏଣିକି ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ଓ ଷ୍ଟେଟ ଫୁଡ ସିକ୍ୟୁରିଟି ଆକ୍ଟ ଅନ୍ତର୍ଗତ ସମସ୍ତ ପରିବାରକୁ ମିଳିବ ମାଗଣା ସ୍ୱାସ୍ଥ୍ୟ ସେବା।

ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୧୫ ତାରିଖରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲା ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବିତରଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବର ମାସ ସୁଦ୍ଧା ସମସ୍ତ ଜିଲ୍ଲାରେ ଏହା ଲାଗୁ କରାଯିବ। ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ଗାଇଡଲାଇନ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରାଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସଂପ୍ରସାରଣ କରାଯିବା ସହ ଅଧିକ ଘରୋଇ ହସପିଟାଲକୁ ଏଥିରେ ଯୋଡା ଯାଇଛି।

କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ହସ୍ପିଟାଲରେ କୌଣସି କାଗଜପତ୍ର ଆବଶ୍ୟକ ପଡିବ ନାହିଁ। ତାଲିକାଭୁକ୍ତ ହୋଇଥିବା ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କିମ୍ବା ନାସନାଲ ଫୁଡ ସିକ୍ୟୁରିଟି ଆକ୍ଟ କାର୍ଡ କିମ୍ବା ଷ୍ଟେଟ ଫୁଡ ସିକ୍ୟୁରିଟି ଆକ୍ଟ କାର୍ଡ ଦେବାକୁ ପଡିବ। ୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ସରକାରୀ ହସ୍ପିଟାଲରେ ସମସ୍ତଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ହିତାଧିକାରୀ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଜନା ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।