ଅତିରିକ୍ତ ବଜେଟ ପାଇଁ ପ୍ରକ୍ରିୟା ଆରମ୍ଭ: ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖିଲେ ଅର୍ଥ ସଚିବ

ଭୁବନେଶ୍ବର,ଏନ୍ଏନ୍ଏସ୍: ଆସନ୍ତା ବିଧାନସଭା ଅଧିବେଶନରେ ଆଗତ ହେବ ୨୦୨୨/୨୩ ବର୍ଷ ଲାଗି ଅତିରିକ୍ତ ବଜେଟ । ଅତିରିକ୍ତ ବଜେଟ ପ୍ରସ୍ତୁତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବିଭାଗ ଗୁଡିକୁ ଅତିରିକ୍ତ ବଜେଟ୍‍ ପ୍ରସ୍ତୁତି ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି । ସମସ୍ତ ବିଭାଗ ଚଳିତ ମାସ ୩୧ ତାରିଖ ସୁଦ୍ଧା ସେମାନଙ୍କର ପ୍ରସ୍ତାବ ଦେବାକୁ କୁହାଯାଇଛି । ଆର୍ଥିକ ସ୍ଥିତି ନେଇ ଅର୍ଥ ସଚିବ କହିଛନ୍ତି ଯେ, ”ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଭାରତର ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଓଡିଶାର ଅଭିବୃଦ୍ଧି ହାର ୮ ପ୍ରତିଶତ ରହିବାର ଆଶା କରାଯାଉଛି । ଏ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ନିଜସ୍ବ ରାଜସ୍ବ ସଂଗ୍ରହ ୧୬ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଗତବର୍ଷ ତୁଳନାରେ ଚଳିତବର୍ଷ ଅଗଷ୍ଟ ସୁଦ୍ଧା ବଜେଟ ବ୍ୟୟ ୨୮ ପ୍ରତିଶତ ବଢିଛି ।” ତେବେ ବଜେଟ ଅର୍ଥ ବ୍ୟୟ ତ୍ବରାନ୍ବିତ ଲାଗି ପ୍ରମୁଖ ସଚିବ ବିଭାଗଗୁଡିକୁ ପରାମର୍ଶ ଦେଇଛନ୍ତି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ”ଦ୍ରୁତ ଦାରିଦ୍ର‌୍ୟ ହ୍ରାସ ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ, ଫସଲ କିସମ ପରିବର୍ତ୍ତନ ଦ୍ବାରା କୃଷକଙ୍କ ଆୟ ବୃଦ୍ଧି ଓ ଚାଷୀଙ୍କୁ ସିଧାସଳଖ ଅର୍ଥ ଟ୍ରାନ୍ସଫର, ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ ସହିତ ଆର୍ଥିକ କାର୍ଯ୍ୟକଳାପ ତ୍ବରାନ୍ବିତ ଲାଗି ଜୋର ଦିଆଯାଉଛି । ରାଜ୍ୟ ସରକାର ମିଶନ ମୋଡରେ ମହିଳା ସଶକ୍ତିକରଣ କାର୍ଯ୍ୟ ହାତକୁ ନେଉଛନ୍ତି । ସେମାନଙ୍କୁ ବିଭିନ୍ନ ଆର୍ଥିକ କାର୍ଯ୍ୟକଳାପରେ ଜଡିତ କରୁଛନ୍ତି । ସେହିଭଳି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ତରରେ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଣ ଏବଂ ଗ୍ରାମ୍ୟସ୍ତରରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ଉପରେ ଜୋର ଦିଆଯାଉଛି ।”

ଚଳିତ ବାର୍ଷିକ ବଜେଟ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟ ଜିଏସଡିପିର ୩ ପ୍ରତିଶତ ରହିଥିଲା । ତେଣୁ ଚଳିତ ଆର୍ଥିକ ବର୍ଷରେ ଅଧିକ ଋଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ସୁଯୋଗ ରହିଛି । ଧାର୍ଯ୍ୟ ସମୟରେ ରାଜ୍ୟକୁ ବିକାଶ କାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ ପଡିବ । ତେବେ ଜୀବିକା ପ୍ରକଳ୍ପ ଓ କାପକ୍ସ ଯୋଜନା ସମ୍ପୂର୍ଣ୍ଣ ଉପରେ ବିଭାଗଗୁଡିକ ଗୁରୁତ୍ବ ଦେଉଛନ୍ତି । ଯାହା ଫଳରେ ରାଜ୍ୟ ଅର୍ଥନୀତି ଅଧିକ ସୁଦୃଢ ହୋଇପାରିବ । ରାଜ୍ୟ ସରକାର ନିୟମିତ ଭାବେ ନୂତନ ପ୍ରକଳ୍ପ ଘୋଷଣା ସହିତ ଜୀବିକା ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରୁଛନ୍ତି । ଯାହାକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥ ଯୋଗାଉଛନ୍ତି । ବିଭାଗଗୁଡିକ ଓଡିଶା କଣ୍ଟିଜେନ୍ସି ଫଣ୍ଡ (ଓସିଏଫ)ରୁ ନେଇଥିବା ଅଗ୍ରୀମକୁ ଅତିରିକ୍ତ ବଜେଟରେ ଭରଣା ଲାଗି କୁହାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି । ଏହାବାଦ ନୂତନ ପଦବୀ ପୂରଣ କରାଗଲେ ଏଥିପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥାକୁ ମଧ୍ୟ ଅନୁମତି ମିଳିବ । ଆବଶ୍ୟକ ସ୍ଥଳେ ବିଭାଗଗୁଡିକୁ ସ୍ଥିତି ଭରଣା ପାଇଁ ଗଚ୍ଛିତ ପାଣ୍ଠିରୁ ପୁନଃ ଆବଣ୍ଟନ ପାଇଁ କୁହାଯାଇଛି । ସେ ଆହୁରି ମଧ୍ୟ ସୂଚେଇ ଦେଇଛନ୍ତି ଯେ, ସେପ୍ଟେମ୍ବର ୩୦ ସୁଦ୍ଧା ଯେଉଁଠାରେ ବଜେଟ ଅର୍ଥର ୪୦ ପ୍ରତିଶତରୁ କମ ବ୍ୟୟ ହୋଇଛି, ସେଠାରେ ଅତିରିକ୍ତ ବ୍ୟୟବରାଦ ପାଇଁ ଆସୁଥିବା ପ୍ରସ୍ତାବଗୁଡିକୁ ବିଚାରକୁ ନିଆଯିବ ନାହିଁ ।