ଆକ୍ଟିଭ୍‌ ମାମଲାରେ ଟପ-୧୦ରେ ଓଡିଶା

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋଭିଡ ସଂକ୍ରମଣ ପୁଣି ଚିନ୍ତା ଜନକ ରହିଛି। ଓମିକ୍ରନ ଭାରିଏଣ୍ଟ ଆସିବା ପରେ ଦେଶରେ ସଂକ୍ରମଣ ହାର ବୃଦ୍ଧି ପାଇବାରେ ଲାଗିଛ। ଏହାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହାକୁ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ସଂକ୍ରମଣ ହାର ବୃଦ୍ଧି କ୍ରମରେ ଟପ୍‌ ୧୦ଟି ରାଜ୍ୟକୁ ତାଲିକାଭୁକ୍ତ କରାଯାଇଛି। ଏଥିରେ ଓଡ଼ିଶା ମଧ୍ୟ ସାମିଲ ରହିଛି।

ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଗୁଜୁରାଟ, ଦିଲ୍ଲୀ ଓ ରାଜସ୍ଥାନ ଭଳି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିବା ସହ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଇଛି । ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି। ଭାରତରେ ବର୍ତ୍ତମାନ ୧୯ ଲକ୍ଷ ସକ୍ରିୟ ସଂକ୍ରମିତ ରହିଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ପ୍ରତିଦିନ ହାରାହାରି ୨ ଲକ୍ଷ ୭୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛି। ସଂକ୍ରମଣ ହାର ୧୫.୯୧ ପ୍ରତିଶତକୁ ବୃଦ୍ଧି ପାଇଛି।

ତେବେ ମହାରାଷ୍ଟ୍ର,କର୍ଣ୍ଣାଟକ, ତାମିଲନାଡୁ, କେରଳ,ଦିଲ୍ଲୀ ଓ ଉତ୍ତରପ୍ରଦେଶର ସ୍ଥିତି ସ୍ବାସ୍ଥ୍ୟ ମନ୍ତ୍ରାଳୟର ଚିନ୍ତା ବଢ଼ାଇ ଦେଇଛି। ଏହି ସମସ୍ତ ରାଜ୍ୟକୁ କେନ୍ଦ୍ରୀୟ ଦଳ ଗସ୍ତ କରିଛନ୍ତି। ଏହି ଦଳ ସେଠାକାର କୋଭିଡ ସ୍ଥିତି ସମୀକ୍ଷା କରିବା ସହ ନଜର ରଖିବ। ଆବଶ୍ୟକ ପଦକ୍ଷେପ ପାଇଁ ପରାମର୍ଶ ମଧ୍ୟ ଦେବ।

ଗତ ୪ ସପ୍ତାହ ମଧ୍ୟରେ ଇୟୁରୋପରେ କୋଭିଡ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତେବେ ଏସିଆରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତ ଏବେ ତୃତୀୟ ଲହର ଦେଇ ଗତି କରୁଛି। ଟିକାକରଣ ଯୋଗୁଁ କୋଭିଡ ସଂକ୍ରମିତ ଗୁରୁତର ହେଉ ନାହାନ୍ତି।

୧୮ ବର୍ଷ ବା ତଦୁର୍ଦ୍ଧ ବ୍ୟକ୍ତିଙ୍କ କଥା କହିଲେ, ବର୍ତ୍ତମାନ ସୁଦ୍ଧା ୮୮.୦୭ ଜଣ କୋଭିଡର ପ୍ରଥମ ଡୋଜ୍‌ ନେଇ ସାରିଛନ୍ତି। ସେହିଭଳି ୬୭.୧୩ କୋଟି କୋଭିଡର ତୃତୀୟ ଡୋଜ୍‌ ନେଇ ସାରିଛନ୍ତି। ତେବେ ପ୍ରକସନ୍‌ ଡୋଜ୍‌ ମାତ୍ର ୬୧.୭୫ ଲକ୍ଷଙ୍କୁ ଦିଆଯାଇ ପାରିଛି। ସେପଟେ ୧୫ରୁ ୧୮ ବର୍ଷ ମଧ୍ୟରେ ୩.୮୪ କିଶୋରକିଶୋରୀଙ୍କୁ ଟୀକାକରଣ କରାଯାଇଛି।