ଓଡ଼ିଶା ବିଧାନସଭା ହେଲା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା ବିଧାନସଭା ଦେଶର ପ୍ରଥମ ଜାତୀୟ ଇ-ବିଧାନସଭା ହେବାର ଗୌରବ ଅର୍ଜନ କରିଛି। ଓଡ଼ିଶା ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଜାତୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଓଡ଼ିଶା ଶାଖା ଓ ଓକାକର ବୈଷୟିକ ସହାୟତା ଯୋଗୁ ଓଡ଼ିଶା ବିଧାନସଭାରେ ଏହା କାର୍ଯ୍ୟକାରୀ ହୋଇପାରିଛି । ଜାତୀୟ ଇ-ବିଧାନ ଆପ୍ଲିକେସନ ଆପ୍ ମାଧ୍ୟମରେ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନରେ ରାଜ୍ୟପାଳଙ୍କ ବଜେଟ ଅଭିଭାଷଣ ଏବଂ ରାଜ୍ୟର ବଜେଟ ବିନା କାଗଜରେ ଉପସ୍ଥାପିତ ହୋଇଥିଲା । ଏତଦବ୍ୟତୀତ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଏଷ୍ଟିମେଟ୍, ରାଜ୍ୟର ଅର୍ଥନୈତିକ ସର୍ଭେ ମଧ୍ୟ ଇ-ପୁସ୍ତକ ମାଧ୍ୟମରେ ନେଭା ମୋବାଇଲ୍ ଆପ୍ ଦ୍ୱାରା ଉପସ୍ଥାପିତ ହୋଇଥିଲ। ବିଧାନସଭା ସଦସ୍ୟଙ୍କ ତାରକା ଏବଂ ଅଣତାରକା ଚିହ୍ନିତ ପ୍ରଶ୍ନ, ବିଧାନସଭାର ଦୈନନ୍ଦିନ କାର୍ଯ୍ୟ ବିବରଣୀ, ବିଧାନସଭାର ବିଭିନ୍ନ କମିଟିର ରିପୋର୍ଟ, ପ୍ରଶ୍ନୋତ୍ତର ଓ ବୁଲେଟିନ୍ ଇତ୍ୟାଦି ମଧ୍ୟ ନେଭା ଆପ୍ ମାଧ୍ୟମରେ ଓଡ଼ିଶା ବିଧାନସଭାରେ କାର୍ଯ୍ୟକାରୀ ହେଉଛି । ଓଡ଼ିଶା ବିଧାନସଭା ଏ କ୍ଷେତ୍ରରେ ସମଗ୍ର ଦେଶରେ ପ୍ରଥମ ବିଧାନସଭା ହେବାର କୀର୍ତ୍ତିମାନ ଅର୍ଜନ କରିଥିବାରୁ ଆଜି ଭାରତୀୟ କମ୍ପ୍ୟୁଟର ସୋସାଇଟି ତରଫରୁ ଏହାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ବିବରଣୀ ଅବଗତ କରାଇବା ଲାଗି ଏକ ଭର୍ଚ୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବାଚସ୍ପତି ଡା. ସୂର୍ଯ୍ୟ ନାରାୟଣ ପାତ୍ର ଉକ୍ତ ଭର୍ଚ୍ଚୁଆଲ ବୈଠକରେ ଅଧ୍ୟକ୍ଷତା କରି ବିଧାନସଭାର ସମସ୍ତ କାର୍ଯ୍ୟ ବିନା କାଗଜରେ ସୁରୁଖୁରୁରେ ସମ୍ପନ୍ନ ପାଇଁ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।