ଓଡ଼ିଆ ଗୀତ ଗାଇଲେ ରାଜ୍ୟପାଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଶାର ଆଧ୍ୟାତ୍ମିକ ପରିବେଶ ପ୍ରତି ଥିବା ଭଲପାଇବାକୁ ପୁଣିଥରେ ପ୍ରତିପାଦିତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ‘ଏ ମାଟି ଓଡ଼ିଶା, ଏ ଜାତି ଓଡ଼ିଆ’ ଶୀର୍ଷକ ଏକ ଓଡ଼ିଆ ଗୀତରେ ସେ କଣ୍ଠଦାନ ସମସ୍ତଙ୍କୁ ଚକିତ କରିଛନ୍ତି। ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ନେଇ ଏହି ଗୀତଟିକୁ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ପ୍ରସ୍ତୁତ କରିଥିବା ବେଳେ ଆଜି ରାଜଧାନୀର ନୀଳାଦ୍ରୀ ବିହାର ସ୍ଥିତ ଏକ ଷ୍ଟୁଡିଓରେ ଏହାର ରେକର୍ଡିଂ ପାଇଁ ପହଞ୍ଚିଥିଲେ ରାଜ୍ୟପାଳ। ରାଜ୍ୟର ଅନ୍ୟ ୧୫ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମଧ୍ୟ ଏଥିରେ କଣ୍ଠଦାନ କରିଛନ୍ତି। ତେବେ ସ୍ୱୟଂ ରାଜ୍ୟପାଳ ଓଡ଼ିଆ ଭାଷାରେ ଗୀତ ଗାଇବା ସାଧାରଣରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି। ଗୀତଟି ଗାଇସାରି ରାଜ୍ୟପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଇଶ୍ୱରଙ୍କ ଉଦ୍ଦେଶ୍ୟରେ କୌଣସି ଜଣାଣ ଗାଇଲେ ତାହା ‘ଗୀତ ଗୋବିନ୍ଦ’ ଏବଂ ‘ଭଗବତ ଗୀତା’ ପାଲଟିଯାଏ। ଏହା କେବଳ ଏକ ଗୀତ ନୁହେଁ ବରଂ ଭଗବାନଙ୍କ ଉଦ୍ଦେଶ୍ୟରେ ଏକ ଉପହାର। ଏହି ଗୀତରେ ଯେଉଁ ମାଧୁର୍ଯ୍ୟ ଅଛି, ସେଥିରେ ସମସ୍ତେ ଆତ୍ମହରା ହୋଇ ଯିବେ। ସାରା ବିଶ୍ୱର ହୃଦୟକୁ ଏହା ଝଙ୍କୃତ କରିବ। ସୂଚନାଯୋଗ୍ୟ, ଏହି ଗୀତଟିକୁ ଗୀତିକାର ବସନ୍ତରାଜ ସାମଲ ଲେଖିଛନ୍ତି। ଆସନ୍ତା ଏପ୍ରିଲ୍ ୧ ଉତ୍କଳ ଦିବସରେ ଭିଡିଓ ସହିତ ଏହି ଗୀତ ଉନ୍ମୋଚିତ ହେବ ବୋଲି ଜଣାପଡ଼ିଛି।