ସ୍ୱାସ୍ଥ୍ୟ ବିଭାଗର ୧୨୩୩୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଖର୍ଚ୍ଚ ଦାବି ପାରିତ

ଭୁବନେଶ୍ବର,ଏନ୍ଏନ୍ଏସ୍: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧୨୩୩୯ କୋଟି ୭୩ ଲକ୍ଷ ୩୩ ହଜାର ଟଙ୍କାର ଖର୍ଚ୍ଚ ଦାବୀକୁ ମିଳିଛି ଗୃହର ଅନୁମୋଦନ । ଖର୍ଚ୍ଚ ଦାବୀ ପାରିତ ଲାଗି ଗୃହରେ ଉପସ୍ଥାପନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଗୃହରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୫ ଟି ମେଡ଼ିକାଲ କଲେଜ ନିର୍ମାଣଧୀନ ରହିଛି । ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ସୁନ୍ଦରଗଡ଼ ମେଡ଼ିକାଲ କଲେଜ । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାର ଉଲ୍ଲେଖନୀୟ ସଫଳତା ପାଇଛନ୍ତି । ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସମେତ ଟିବି ନିୟନ୍ତ୍ରଣ, ମେଲେରିଆ ଓ ସମ୍ପୂର୍ଣ୍ଣ ଟୀକା କରଣ କ୍ଷେତ୍ରରେ ରାଜ୍ୟ ଆଗୁଆ ରହିଛି । ସ୍ୱାସ୍ଥ୍ୟ ପ୍ରତିଷ୍ଠା ଦିଗରେ କେନ୍ଦ୍ର ଠାରୁ କାୟାକଳ୍ପ ପୁରସ୍କାର ପାଇଛି । ରାଜ୍ୟରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ପଦବୀ ସଂଖ୍ୟା ୮୭୫୦ ରହିଥିବାବେଳେ ସେଥି ମଧ୍ୟରୁ ୬୭୭୫ ଡାକ୍ତର ନିୟମିତ କାର୍ଯ୍ୟରତ ଅଛନ୍ତି । ଖାଲି ପଡିଥିବା ୧୯୭୫ ଟି ଡାକ୍ତର ପଦବୀ ମଧ୍ୟରୁ ୧୦୫୪ ଜଣଙ୍କୁ ଚୁକ୍ତି ଭିତ୍ତିକ ନିଯୁକ୍ତି ଦିଆଯାଇଛି ।

ବାକି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଆଲୋଚନା ବେଳେ ବିରୋଧୀ କହିଛନ୍ତି ଯେ, ସରକାର ନୂଆ ମେଡ଼ିକାଲ କଲେଜ ଖୋଲିବାକୁ ନେଇ ବାହା ବାହା ନେଉଛନ୍ତି । ମାତ୍ର ଡାକ୍ତର କି ପ୍ରଫେସର ନାହାନ୍ତି । ଯେଉଁଥି ପାଇଁ ମେଡ଼ିକାଲ ପାଠପଢା ଆରମ୍ଭ ହୋଇ ପାରୁନି । ଏସସିବି ମେଡ଼ିକାଲ କଲେଜକୁ ଏମ୍ସ ପ୍ଲସ କରିବା ନେଇ ସରକାର ଯୋଜନା କରିଛନ୍ତି । କାର୍ଯ୍ୟ ବି ଆରମ୍ଭ କରିଛନ୍ତି । କିନ୍ତୁ ଗଛ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ । ବର୍ତ୍ତମାନ ୬ ଟି ମୁଖ୍ୟ ବିଭାଗରେ ଡାକ୍ତର ନାହାନ୍ତି ।

ମେଡ଼ିସିନ ବିଭାଗରେ ୧୨୦୦ ବେଡ଼ ଆବଶ୍ୟକତା ଥିବାବେଳେ ଅଛି ମାତ୍ର ୪୦୦ ବେଡ଼ । ସ୍ଵାସ୍ଥ୍ୟ ବିଭାଗରେ ଖାଲି ପଡିଥିବା ୩୬ ହଜାର ୪୫ ପଦବୀ ପୂରଣ କରିବାକୁ ସରକାର ପଦକ୍ଷେପ ନେଉ ନାହାନ୍ତି । ଏସସିବିରେ ଦଲାଲ ରାଜ୍ ଚାଲିଛି । କିଡନୀ ପ୍ରତ୍ୟାରୋପଣ କାର୍ଯ୍ୟ ଏବେ ଯାଏଁ ବି ଆରମ୍ଭ ହୋଇ ପାରିଲାନି । ମୁଖ୍ୟ ବିଲ୍ଡିଂ କାର୍ଯ୍ୟ ଏ ପର୍ଯ୍ୟନ୍ତ ବି ଆରମ୍ଭ ହୋଇପାରିନି । ଏସସିବି ମେଡ଼ିକାଲ ୧୯୮୨ ମସିହାରେ ଯେମିତି ଥିଲା ବର୍ତ୍ତମାନ ବି ସେମିତି ରହିଛି । ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ । ଶିଶୁ ହସ୍ପିଟାଲ କଥା କହିଲେ ନସରେ । ୩ ଆମ୍ବୁଲାନ୍ସରୁ ୨ଟି ଖରାପ ହୋଇପଡିଛି ।