ଆଉ ଚଳିବନି ମାନୁଆଲ ପଲ୍ୟୁସନ ସାର୍ଟିଫିକେଟ୍

୩ ମାସ କୋହଳ ଜାରି ରହିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଅକ୍ଟୋବର ୧ତାରିଖରୁ ଅନଲାଇନ୍ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ତେବେ ଯେଉଁମାନେ ପୂର୍ବରୁ ମାନୁଆଲ୍ ପଲ୍ୟୁସନ୍ ସାର୍ଟିଫିକେଟ୍ କରିଥିଲେ, ଉକ୍ତ ସାର୍ଟିଫିକେଟ୍ ସେପ୍ଟେମ୍ବର ୩୦ତାରିଖ ପରେ ଆଉ କାମ ଦେବ ନାହିଁ ବୋଲି ରାଜ୍ୟ ପରିବହନ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଡିସେମ୍ବର ୧ତାରିଖ ଯାଏଁ ନୂଆ ନିୟମକୁ କରାଯାଇଥିବା କୋହଳ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

କେବଳ ପରିବହନ ବିଭାଗର ‘ବାହନ’ ୱେବସାଇଟରୁ ମିଳିଥିବା ସାର୍ଟିଫିକେଟ୍ ହିଁ ବୈଧ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ସାର୍ଟିଫିକେଟ୍ ବାବଦକୁ ଦୁଇ ଓ ତିନିଚକିଆ ଯାନ ପାଇଁ ୬୦ଟଙ୍କା ଓ ହାଲୁକା ମୋଟରଯାନ ପାଇଁ ୧୦୦ଟଙ୍କା ଓ ଭାରୀଯାନ ପାଇଁ ୧୫୦ଟଙ୍କା ସହିତ ଜିଏସଟି ଅତିରିକ୍ତ ଦେବାକୁ ପଡ଼ିବା ନେଇ ସୂଚନା ମିଳିଛି।

ରାଜ୍ୟରେ ୧୬୩ଟି ପଲ୍ୟୁସନ୍ ଟେଷ୍ଟ ସେଣ୍ଟରକୁ ସାର୍ଟିଫିକେଟ୍ ଦେବା ପାଇଁ ପରିବହନ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ସେଥିମଧ୍ୟରୁ ୧୦୬ଟି ସେଣ୍ଟର ‘ବାହନ’ ୱେବସାଇଟ୍ ସହିତ ସଂଯୋଗ ହୋଇ ଏବେ ସାର୍ଟିଫିକେଟ୍ ପ୍ରଦାନ କରିବା ଯୋଗ୍ୟତା ପାଇଛନ୍ତି। ସେପ୍ଟେମ୍ବର ୧ରୁ ୨୦ତାରିଖ ମଧ୍ୟରେ ଏହି ସେଣ୍ଟର ଗୁଡ଼ିକ ୬୯ହଜାର ୨୧୦ଟି ପଲ୍ୟୁସନ୍ ସାର୍ଟିଫିକେଟ୍ ଇସ୍ୟୁ କରିଛନ୍ତି। ତେବେ ସେପ୍ଟେମ୍ବର ୧ତାରିଖରୁ ରାଜ୍ୟରେ ୧୪ଟି ନୂତନ ପଲ୍ୟୁସନ୍ ଟେଷ୍ଟ୍ ସେଣ୍ଟର ଖୋଲାଯାଇଛି।

ସୂଚନା ଅନୁଯାୟୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଦ୍ୱାରା ଅନ୍ଲାଇନ୍ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି। ଏପ୍ରିଲ ୧ରୁ ଏହି ନିୟମ ସାରା ଦେଶରେ ଲାଗୁ ହୋଇଥିବାବେଳେ ଓଡ଼ିଶାରେ ଆବଶ୍ୟକୀୟ ଭିତ୍ତିଭୂମି ନଥିବାରୁ ଏହି ନିୟମ ଲାଗୁ ହୋଇନଥିଲା। ତେବେ ଓଡ଼ିଶା ସରକାର ଅକ୍ଟୋବର ୧ ତାରିଖରୁ ଏହି ନିୟମକୁ ରାଜ୍ୟରେ ଲାଗୁ କରିବା ପାଇଁ ନିଷ୍ପତି ନେଇଛନ୍ତି।