ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀ ମୃତ୍ୟୁଦଣ୍ଡ ସମୟ ଘୁଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ନିର୍ଭୟାଙ୍କ ମା’ ଆଶାଦେବୀ ୪ ଦୋଷୀଙ୍କୁ ତୁରନ୍ତ ଡେଥ୍ ୱାରେଣ୍ଟ୍ ଜାରି କରାଯିବା ନିମନ୍ତେ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲାବେଳେ ଅନ୍ୟତମ ଦୋଷୀ ପବନ ଗୁପ୍ତା ତାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯିବାକୁ ବୁଧବାର ଆବେଦନ କରିବାରୁ ମାମଲା ଆଉ ଏକ ମୋଡ଼ ନେଇଛି। ଏଭଳି ସ୍ଥିତିରେ ଆଶାଦେବୀ ଦୁଃଖରେ ଭାଙ୍ଗିପଡ଼ି କୋର୍ଟ ପରିସରରେ କାନ୍ଦି ପକାଇଥିଲେ।
ଅନ୍ୟତମ ଦୋଷୀ ପବନ ଗୁପ୍ତା ଦିଲ୍ଲୀର ଅତିରିକ୍ତ ଦୌରାଜଜଙ୍କ କୋର୍ଟରେ ଏକ ଆବେଦନ କରି କହିଛନ୍ତି ଯେ, ମୋ ପକ୍ଷରୁ ଲଢ଼ିବା ପାଇଁ ମୁଁ ଓକିଲଙ୍କୁ ପରିବର୍ତ୍ତନ କରିବାକୁ ଚାହୁଁଛି। ତେଣୁ ତାଙ୍କୁ ଆଇନଗତ ସହାୟତା ଯୋଗାଇ ଦିଆଯିବା ସହ ନୂତନ ନିଯୁକ୍ତି ପର୍ଯ୍ୟନ୍ତ ତାଙ୍କୁ ସମୟ ଦିଆଯିବାକୁ ଅନୁରୋଧ କରିଥିଲେ। ତେବେ ଆଶାଦେବୀ ଓ ତାଙ୍କ ଓକିଲ ଏହାକୁ ଦୃଢ଼ ବିରୋଧ କରିଥିଲେ। ଏହି ସମୟରେ ଆଶାଦେବୀ କୋର୍ଟରେ ଅତି ବିକଳ ହୋଇ କାନ୍ଦିଥିଲେ ଏବଂ ବିଚାରପତିଙ୍କୁ କହିଥିଲେ, ଦୋଷୀ ସାବ୍ୟସ୍ତ ହୋଇସାରିଥିବା ଅପରାଧୀମାନଙ୍କ ନ୍ୟାୟିକ ଅଧିକାରକୁ କୋର୍ଟ ବିଚାରକୁ ନେଉଥିଲାବେଳେ ଜଣେ ପୀଡ଼ିତାଙ୍କ ମା’ର ଦୁର୍ଦ୍ଦଶାକୁ ବିଚାରକୁ ନିଆଯାଉ ନାହିଁ। ଗତକାଲି ପର୍ଯ୍ୟନ୍ତ ଦୋଷୀଙ୍କର ଓକିଲ ଥିଲାବେଳେ ମୃତ୍ୟୁ ପରୱାନା ଜାରି ହେବାକୁ ଯାଉଥିବା ସମୟରେ ସେମାନଙ୍କ ଓକିଲ କେଉଁଆଡ଼େ ଚାଲିଗଲେ ବୋଲି ପ୍ରଶ୍ନ କରିଥିଲେ ଆଶାଦେବୀ।
ସେ ଯୋଡ଼ହସ୍ତ ହୋଇ ବିଚାରପତିଙ୍କୁ ପ୍ରଶ୍ନ କରିଥିଲେ, ପୀଡ଼ିତାର ମା’ ଭାବରେ ମୋର କ’ଣ କୌଣସି ଅଧିକାର ନାହିଁ? ମୋତେ କ’ଣ ନ୍ୟାୟ ମିଳିବ ନାହିଁ? ଆଶାଦେବୀଙ୍କ ଆପତ୍ତି ଶୁଣି ଅତିରିକ୍ତ ଦୌରାଜଜ୍ ଧର୍ମେନ୍ଦ୍ର ରାଣା ଦୋଷୀ ପବନ ଗୁପ୍ତା ପକ୍ଷରୁ ଆଗତ ଆବେଦନର ଶୁଣାଣିକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଉଲ୍ଲେଖଯୋଗ୍ୟ ଗତ ଫେବୃଆରୀ ୫ ତାରିଖରେ ୪ ଦୋଷୀଙ୍କୁ ଶୀଘ୍ର ଫାଶୀ ଦିଆଯିବା ପାଇଁ କେନ୍ଦ୍ର ସରକାର ଓ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରୁଲିଂ ଦେଇ କହିଥିଲେ ଯେ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ମାମଲାକୁ ପୃଥକ୍ ଭାବେ ବିଚାର କରାଯାଇପାରିବ ନାହିଁ। ଫାଶୀଦଣ୍ଡ କାର୍ଯ୍ୟକାରୀ ହେବା ଆଗରୁ ଦୋଷୀମାନଙ୍କ ପାଖରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ରହିଛି ସେସବୁକୁ ୭ ଦିନ ମଧ୍ୟରେ ସେମାନଙ୍କୁ ପୂରା କରିବାକୁ ପଡ଼ିବ। ହାଇକୋର୍ଟଙ୍କ ଏହି ରାୟକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପୁଣି ଚାଲେଞ୍ଜ୍ କରିବାରୁ ଜଷ୍ଟିସ୍ ଆର୍ ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ସାନି ଡେଥ୍ ୱାରେଣ୍ଟ୍ ଜାରି ପାଇଁ ନିମ୍ନ ଅଦାଲତରେ ଆବେଦନ କରିବାକୁ କହିଥିଲେ।