ନିକୋସିଆ,ଏଜେନ୍ସି: ସାଇପ୍ରସକୁ ନୂଆ ରାଷ୍ଟ୍ରପତି ମିଳିଛନ୍ତି । ସାଇପ୍ରସର ପୂର୍ବତନ ବୈଦେଶିକ ମନ୍ତ୍ରୀ ନିକୋସ କ୍ରିଷ୍ଟୋଡୌଲାଇଡସ ନୂଆ ରାଷ୍ଟ୍ରପତି ହୋଇଛନ୍ତି । ରବିବାର ନିଜ ପ୍ରତିନ୍ଦ୍ବନ୍ଦୀ ଆଣ୍ଡ୍ରେସ ମାଭରୋୟାନିସଙ୍କୁ ପରାସ୍ତ କରି ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକୋସଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ।
ନିକୋସ ତାଙ୍କ ପ୍ରତିନ୍ଦ୍ବନ୍ଦୀ ଆଣ୍ଡ୍ରେସ ମାଭରୋୟାନିସଙ୍କୁ ୫୧.୯% ଭୋଟରେ ପରାସ୍ତ କରିଥିଲେ । ସେ ମୋଟ ୨,୦୪,୬୮୦ ଭୋଟ ପାଇଥିଲେ । ଆଣ୍ଡ୍ରେସଙ୍କୁ ମାତ୍ର ୪୮.୧% ଭୋଟ ମିଳିଥିଲା । ରାଷ୍ଟ୍ରପତି ନିର୍ବାଚନରେ ମୋଟ ୪,୦୫,୦୦୦ ଭୋଟ ଗ୍ରହଣ ହୋଇଥିଲା । ମତଗଣନା ପ୍ରକାଶ ପାଇବା ପରେ ନିକୋସ ବିଜୟୀ ହୋଇଥିଲେ । ସାଇପ୍ରସ ଛୋଟିଆ ଦେଶଟିଏ ହେଲେ ମଧ୍ୟ ରାଜନୈତିକ ଦୃଷ୍ଟିରେ ଏହାର ଅଧିକ ଗୁରୁତ୍ବ ରହିଛି ।
ନିକୋସ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ କରି ମୋଦି ଲେଖିଛନ୍ତି, “ସାଇପ୍ରସ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବାରୁ ନିକୋସଙ୍କୁ ଅନେକ ଅନେକ ଅଭିନନ୍ଦନ । ଭାରତ ଓ ସାଇପ୍ରସ ଦ୍ବିପାକ୍ଷିକ ସମ୍ପର୍କକୁ ସୃଦୁଢ ଓ ମଜଭୁତ କରିବା ପାଇଁ ତାଙ୍କ ସହିତ କାର୍ଯ୍ୟ କରିବାକୁ ଅପେକ୍ଷାରେ ରହିଛି ।”
ପୂର୍ବ ବୈଦେଶିକ ମନ୍ତ୍ରୀ ଥିବା ନିକୋସ କ୍ରିଷ୍ଟୋଡୌଲାଇଡସ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ରବିବାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ଏକତା ସରକାର ଓ ତୁର୍କୀ ସାଇପ୍ରସ ସହତି ଶାନ୍ତି ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ୨୦୧୪ରେ ସରକାରଙ୍କ ମୁଖପାତ୍ର ଭାବେ ନିଯୁକ୍ତ ହୋଇଥିଲେ ନିକୋସ । ଏହାପରେ ୨୦୧୮ରେ ଦେଶର ବୈଦେଶିକ ମନ୍ତ୍ରୀ ଥିଲେ । ନିକୋସଙ୍କୁ ଡେମୋକ୍ରାଟିକ ପାର୍ଟି, ସୋସିଆଲ ଡେମୋକ୍ରାସି ପାର୍ଟିର ସମର୍ଥନ ରହିଛି ।