ଓଡ଼ିଶାରେ ଘୋଷଣା ହେଲା ନାଇଟ କର୍ଫ୍ୟୁ, ରାତି ୧୦ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ କଟକଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଓଡ଼ିଶାରେ କଟକଣା ଜାରି ହୋଇଛି। ଆଜି ଓ ଆସନ୍ତାକାଲି ଓଡ଼ିଶା ପାଇଁ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି। ତେବେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ଏହି କଟକଣା ବଳବତ୍ତର ରହିବ। ଏନେଇ ରାଜ୍ୟ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଓ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଏଥିସହିତ ଜନଗହଳି ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସର୍ବସାଧାରଣ ସ୍ଥାନରେ ଲୋକମାନେ ଗହଳି ନକରିବାକୁ କୁହାଯାଇଛି।

ଏଥିସହିତ ଟୁଇନ ସିଟିରେ ୧୪୪ ଧାରା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଆପାର୍ଟମେଣ୍ଟ ଓ ରେସିଡେନସିଆଲ ଏରିଆରେ ଭୋଜିର ଆୟୋଜନ ନ କରିବାକୁ ମଧ୍ୟ କମିସନର ପରାମର୍ଶ ଦେଇଛନ୍ତି। ଏଥିସହିତ ଟୁଇନସିଟିର ବିଭିନ୍ନ ସ୍ଥାନରେ ନାକା ଲଗାଯିବ। ଅନୁମତି ନଥିବା ଲୋକଙ୍କୁ ଯିବାକୁ ଦିଆଯିବନି। ସେହିପରି ଅମାନିଆଙ୍କ ନୂଆବର୍ଷ ଥାନାରେ କଟିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ସେହିପରି ଜରୁରୀକାଳୀନ ସେବାକୁ ଏଥିରୁ ବାଦ ଦିଆଯାଇଛି।